ବିବାହର ୧୮ ଦିନ ପରେ ବି ବିଦା ହୋଇପାରୁନି ଝିଅ

ଅଲିଗଡ,୧୪।୪: ସାରା ଦେଶରେ କରୋନା ଭାଇରସ୍‌ ପ୍ରକୋପ ଜାରି ରହିଛି। କରୋନା ସହ ମୁକାବିଲା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏଥିଯୋଗୁ ଲୋକଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଯିଏ ଯେଉଁଠାରେ ରହିଛନ୍ତି ସେଠାରେ ହିଁ ଫସି ହୋଇ ଯାଇଛନ୍ତି। ଲକ୍‌ଡାଉନ୍‌ ଯୋଗୁ ଏକ ବରଯାତ୍ରୀ ଫସି ଯାଇଥିବା ବେଳେ ବିବାହର ୧୮ ଦିନ ପରେ ବି ଝିଅ ବିଦା ହୋଇପାରିନାହିଁ। ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ଅଲିଗଡରେ। ସୂଚନାଯୋଗ୍ୟ, ଅତରୋଲି କୋତଓ୍ବାଲି ଅଞ୍ଚଳର ବିଧିପୁର ଗାଁରେ ରହୁଥିବା ନରପତ ସିଂହ ଆର୍ଯ୍ୟଙ୍କ ଝିଅର ବାହାଘର ମାର୍ଚ୍ଚ ୨୨ରେ ଅନୁଷ୍ଠିତ ହୋଇଥିଲା। ଝାଡଖଣ୍ଡର ଧାନବାଦ ଜିଲାର ତୋପଞ୍ଚାଚି ଗାଁରୁ ବିଧିପୁର ଗାଁକୁ ବରଯାତ୍ରୀ ଆସିଥିଲା। ରୀତିନୀତି ଅନୁଯାୟୀ ବିବାହ ମଧ୍ୟ ସମ୍ପର୍ଣ୍ଣ ହୋଇଥିଲା। ସକାଳ ପାହିଲେ ଝିଅ ବିଦା ହୋଇ ନୂଆ ଘର ସଂସାର କରିବ ବୋଲି ସମସ୍ତେ ସ୍ବପ୍ନ ଦେଖିଥିଲେ। ହେଲେ ସମସ୍ତଙ୍କ ଆଶା ଆଶାରେ ହି ରହିଯାଇଥିଲା। କାରଣ ଏହାରି ଭିତରେ ସାରା ଦେଶରେ ଜନତା କର୍ଫ୍ୟୁ ଓ ଲକ୍‌ଡାଉନ୍‌ ଘୋଷଣା ହୋଇଯାଇଥିଲା। ଫଳରେ ବର ଓ ବରଯାତ୍ରୀ ଆଉ ନିଜ ଘରକୁ ଫେରି ପାରି ନ ଥିଲେ। ଏନେଇ ପ୍ରଶାସନକୁ ଅବଗତ କରାଯାଇଥିଲା। ଏହାପରେ ପ୍ରଶାସନର ଏକ ଟିମ୍‌ ଉକ୍ତ ଗାଁରେ ପହଞ୍ଚି ସମସ୍ତ ବରଯାତ୍ରୀଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରିଥିଲା। ଏଥିସହ ପ୍ରଶାସନ ପକ୍ଷରୁ ସେମାନଙ୍କ ପାଇଁ ଖାଦ୍ୟ ପାନୀୟର ମଧ୍ୟ ବ୍ୟବସ୍ଥା କରାଯାଇଥିଲା। ଗୋଟିଏ ଓଳି ଝିଅ ପକ୍ଷରୁ ସେମାନଙ୍କୁ ଖାଇବାକୁ ଦିଆଯାଉଥିବା ବେଳେ ଆଉ ଗୋଟିଏ ଓଳି ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ତେବେ ଦେଶରେ ୨୧ ଦିନିଆ ଲକ୍‌ଡାଉନ୍‌ କରାଯାଇଥିବା ବେଳେ ଏପ୍ରିଲ ୧୪ରେ ଏହାର ଅବଧି ଶେଷ ହେଉଥିଲା। ଏହାକୁ ଦୃଷ୍ଟିରେ ରଖି ଏପ୍ରିଲ ୧୫ରେ ବରକନ୍ୟା ଓ ବରଯାତ୍ରୀ ନିଜ ରାଜ୍ୟକୁ ଫେରିଯିବା ପାଇଁ ପ୍ରଶାସନକୁ ନିବେଦନ କରିଥିଲେ। ହେଲେ ସ୍ବାସ୍ଥ୍ୟ ବିଭାଗର କହିବା ଅନୁଯାୟୀ ସମସ୍ତ ବରଯାତ୍ରୀଙ୍କ ଯାଞ୍ଚ କରାଯାଇଛି ଏବଂ ସେମାନେ ସମସ୍ତେ ସୁସ୍ଥ ମଧ୍ୟ ଅଛନ୍ତି। ତେବେ ଲକ୍‌ଡାଉନ୍‌ ଶେଷ ନ ହେବା ପର୍ଯ୍ୟନ୍ତ ସେମାନଙ୍କୁ ଯିବା ପାଇଁ ଅନୁମତି ମିଳିବ ନାହିଁ ବୋଲି ସ୍ବାସ୍ଥ୍ୟ ବିଭାଗ କହିଥିଲେ। କିନ୍ତୁ ମଙ୍ଗଳବାର ଏହି ଲକ୍‌ଡାଉନ୍‌ର ଅବଧି ବୃଦ୍ଧି ପାଇଛି। ମଙ୍ଗଳବାର ସକାଳ ୧୦ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ। ଏହି ସମୟରେ ମୋଦି ଲକ୍‌ଡାଉନ୍‌ର ଅବଧିକୁ ମେ’ ୩ଯାଏ ବୃଦ୍ଧି କରିଛନ୍ତି। ଫଳରେ ବରଯାତ୍ରୀ ଓ ଝିଅ ବିଦା ହେବା ଏବେ କଷ୍ଟକର ହୋଇପଡ଼ିଛି।

Share