Categories: ଜାତୀୟ

ବିବାହରେ କନ୍ୟା ରଖିଲେ ସର୍ତ୍ତ: ଶହେ ବୃକ୍ଷଚାରା ରୋପଣ ପରେ ବରଯାତ୍ରୀ ନେଇ ଆସିବାକୁ କହିଲେ

ଗ୍ବାଲିୟର,୯।୭: ମଧ୍ୟପ୍ରଦେଶରେ ଜଣେ କନ୍ୟା ବିବାହ ପାଇଁ ଅଜବ ସର୍ତ୍ତ ରଖିଛନ୍ତି। ଶହେ ବୃକ୍ଷ ଚାରା ରୋପଣ ପରେ ବରଯାତ୍ରୀ ନେଇ ବିବାହ ଲାଗି ଆସିବାକୁ ସେ ବରଘରଙ୍କୁ ପରାମର୍ଶ ଦେଇଛନ୍ତି। ବରଘର ଏଭଳି ସର୍ତ୍ତ ଶୁଣି ପ୍ରଥମେ ଆଶ୍ଚର୍ଯ୍ୟ ହୋଇଥିଲେ ମଧ୍ୟ ପରେ କନ୍ୟାଙ୍କ ସର୍ତ୍ତକୁ ସମ୍ମାନ ଜଣାଇ ପରିବେଶ ସୁରକ୍ଷାଲାଗି ବୃକ୍ଷଚାରା ରୋପଣ ଆରମ୍ଭ କରିଛନ୍ତି। ସ୍ଥାନୀୟ ଇନ୍ଦ୍ରମଣି ନଗରରେ ବାସ କରୁଥିବା ପଣ୍ଡିତ ଅଶୋକ ଦୁବେଙ୍କ କନ୍ୟା ନୀତୁ  ଏକ ଘରୋଇ ବିଦ୍ୟାଳୟରେ ଚାକିରି କରନ୍ତି। ରୟୋପୁର ବାସିନ୍ଦା ଆଶୁ ଦୀକ୍ଷୀତ୍‌ଙ୍କ ସହିତ ତାଙ୍କର ବିବାହ ଠିକ୍‌ ହୋଇଥିଲା। ନୀତୁ ନିଜର ସର୍ତ୍ତ ସମ୍ପର୍କରେ ଆଶୁଙ୍କୁ ଅବଗତ କରାଇଥିଲେ। ଆଶୁଙ୍କ ପିତା ଉପେନ୍ଦ୍ର ଦୀକ୍ଷୀତ୍‌ ନୀତୁଙ୍କ ସର୍ତ୍ତକୁ ସମ୍ମାନ ଜଣାଇବା ସହିତ ଏବେ ବୃକ୍ଷଚାରା ରୋପଣ ଜାରି ରଖିଛନ୍ତି। ଏହି ବିବାହ ସର୍ତ୍ତ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share