Categories: ମେଟ୍ରୋ

ବିପନ୍ନଙ୍କୁ ଭେଟିଲେ ସୁଇଜରଲାଣ୍ଡ ପାର୍ଲାମେଣ୍ଟ ସଦସ୍ୟ

ପୁରୀ ଅଫିସ, ୨୪ା୭: ସୁଇଜରଲାଣ୍ଡ ପାର୍ଲାମେଣ୍ଟ ସଦସ୍ୟ ଓ ଦୂତାବାସ ଅଧିକାରୀ ଏବଂ ସିଡ୍‌ସ (ସଷ୍ଟେନେବଲ୍‌ ଏନ୍‌ଭାଇରନ୍‌ମେଣ୍ଟ ଆଣ୍ଡ ଇକୋଲୋଜିକାଲ ଡେଭଲପ୍‌ମେଣ୍ଟ ସୋସାଇଟି)ର ସଦସ୍ୟ ମଙ୍ଗଳବାର ପୁରୀର ବାତ୍ୟା କ୍ଷତିଗ୍ରସ୍ତ ପେଣ୍ଠକଟା ବସ୍ତି ଏବଂ ସଦର ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି। ସହାୟତା ପ୍ରଦାନ ପାଇଁ ସୁଇଜରଲାଣ୍ଡ ସହଯୋଗରେ ହୋଇଥିବା ରିଲିଫ୍‌ କାର୍ଯ୍ୟକୁ ଅଧିକାରୀମାନେ ତଦାରଖ କରିବା ସହ କ୍ଷତିଗ୍ରସ୍ତଙ୍କ ସହିତ ଆଲୋଚନା କରିଛନ୍ତି। ରିଲିଫ୍‌ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ସିଡ୍‌ସ ପକ୍ଷରୁ ଗୋଷ୍ଠୀ ହ୍ୟାଣ୍ଡପମ୍ପ ମରାମତି, ଜଳ ଉତ୍ସ ଓ ବିଭିନ୍ନ ଅଞ୍ଚଳରେ କ୍ଲୋରିନକରଣ କରାଯାଇଛି। ଏଥିସହିତ ପୁରୀ ପୌରସଂସ୍ଥା ଓ ସଦର ବ୍ଲକର ବହୁ ପରିବାରକୁ ଶୌଚାଳୟରେ ବ୍ୟବହୃତ ହେଉଥିବା ସାମଗ୍ରୀ, ସାନିଟାରୀ ପ୍ୟାଡ୍‌, ମଶା ପ୍ରତିରୋଧକ ପ୍ରଭୃତି ସାମଗ୍ରୀ ବଣ୍ଟାଯାଇଛି। ସ୍ବିସ୍‌ ଏଜେନ୍ସି ଫର୍‌ ଡେଭଲପ୍‌ମେଣ୍ଟ ଆଣ୍ଡ କୋଅପରେଶନ (ଏସ୍‌ଡିସି) ସମର୍ଥିତ ସିଡ୍‌ସ ଏହି କାର୍ଯ୍ୟକ୍ରମ ଜରିଆରେ ପ୍ରାୟ ୧୪ ହଜାର ଲୋକଙ୍କ ପାଖରେ ପହଞ୍ଚତ୍ପାରିଛି।
ସୁଇଜରଲାଣ୍ଡ ପାର୍ଲାମେଣ୍ଟ ସଦସ୍ୟ ଡ. ନିକ୍‌ଲସ୍‌ ଏସ୍‌. ଗୁଗୁର କହିଛନ୍ତି, ବିପର୍ଯ୍ୟୟରେ ଯେଉଁମାନେ ସବୁକିଛି ହରାଇଥାନ୍ତି ଏବଂ ନିଜ ଗୋଡ଼ରେ ଠିଆ ହେବାର ସମ୍ବଳ ନାହିଁ ସେମାନଙ୍କୁ ଆବଶ୍ୟକ ରିଲିଫ୍‌ ଯୋଗାଇଦେବାକୁ ଏହି ଅଭିଯାନ ହେଉଛି ଶ୍ରେଷ୍ଠ ଉପାୟ। ସେହିପରି ଭାରତ ଓ ଭୁଟାନରେ ଅବସ୍ଥାପିତ ସୁଇଜରଲାଣ୍ଡର ରାଷ୍ଟ୍ରଦୂତ ଡ. ଆଣ୍ଡ୍ରିଆସ୍‌ ବଉମ୍‌ କହିଛନ୍ତି, ସଙ୍କଟ ଓ ସଂଘର୍ଷ ସମୟ ପରେ ମାନବିକ କଲ୍ୟାଣ କାର୍ଯ୍ୟ ଜରିଆରେ ସୁଇଜରଲାଣ୍ଡ ପକ୍ଷରୁ ବିଶ୍ୱର ବିିଭିନ୍ନ ସରକାରଙ୍କୁ ସହାୟତା ଦିଆଯାଉଛି। ସିଡ୍‌ସ ସହଯୋଗରେ ବାତ୍ୟା ଫନୀ ଦ୍ୱାରା ପ୍ରଭାବିତଙ୍କୁ ସହାୟତା ପ୍ରଦାନ କରାଯାଉଛି। ଏହି ଅବସରରେ ସିଡ୍‌ସର ଡ. ଅଂଶୁ ଶର୍ମା କହିଥିଲେ, ବାତ୍ୟା ଯୋଗୁ ବହୁ ଲୋକ ବାସହରା ହୋଇପଡ଼ିିଥିଲେ। ଏଭଳି ପରିସ୍ଥିତିରେ ଏସ୍‌ଡିସିର ସହଯୋଗ ବେଶ୍‌ ପ୍ରଶଂସନୀୟ।