Categories: ଜାତୀୟ

ବିପଦ ସାଜିବେ ସହର ଫେରନ୍ତା: ଆଗକୁ ଗାଁରେ ବିସ୍ଫୋରକ ସ୍ଥିତି

ନୂଆଦିଲ୍ଲୀ,୨୫।୫: କରୋନା ଲକ୍‌ଡାଉନ ଯୋଗୁ ସହରରେ ଜୀବିକା ହରାଇ ଗାଁକୁ ଫେରିବାରେ ଲାଗିଛନ୍ତି ଦାଦନ ଶ୍ରମିକ। ପୂର୍ବରୁ କେବଳ ସହରାଞ୍ଚଳରେ କରୋନା ବ୍ୟାପୁଥିବାବେଳେ ଏବେ ପ୍ରବାସୀଙ୍କ ଘରବାହୁଡ଼ା ଗ୍ରାମାଞ୍ଚଳରେ ବିପଦ ସୃଷ୍ଟି କରିଛି। ଏହା ଗାଁଗୁଡ଼ିକରେ ସଂକ୍ରମଣ ବୃଦ୍ଧିର କାରଣ ସାଜିବ ବୋଲି କେନ୍ଦ୍ର ସରକାର ସ୍ବୀକାର କରିଛନ୍ତି। ତେବେ ପ୍ରବାସୀଙ୍କ ଗଣପଳାୟନ ଯୋଗୁ ସୃଷ୍ଟି ହେଉଥିବା ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି ଏବଂ ଏହାର ମୁକାବିଲା ପାଇଁ ସରକାର ଭିତ୍ତିଭୂମି ପ୍ରସ୍ତୁତ କରୁଥିବା ନେଇ ରବିବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି।
ଭାରତରେ ୪ କୋଟି ଦାଦନ ଶ୍ରମିକ ଅଛନ୍ତି। ଲକ୍‌ଡାଉନ୍‌ କଟକଣା ଧୀରେ ଧୀରେ କୋହଳ କରାଯିବା ପରେ ୭୫ ଲକ୍ଷ ପ୍ରବାସୀ ଘରକୁ ଫେରିସାରିଛନ୍ତି। ୩୫ ଲକ୍ଷ ପ୍ରବାସୀ ଶ୍ରମିକ ସ୍ପେଶିଆଲ ଟ୍ରେନ୍‌ରେ ଫେରିଥିବାବେଳେ ୪୦ ଲକ୍ଷ ବସ୍‌ରେ ଫେରିଛନ୍ତି। ରେଳ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନାନୁସାରେ ମେ’ ୧ରୁ ଅଦ୍ୟାବଧି ୨,୮୧୩ ଶ୍ରମିକ ସ୍ପେଶିଆଲ ଟ୍ରେନ୍‌ ଚାଲିଲାଣି। ତହିଁରୁ ୮୦% କେବଳ ୟୁପି ଓ ବିହାରକୁ ଯାଇଛି। ୟୁପିକୁ ୧,୩୦୧ ଟ୍ରେନ୍‌ ଗଡ଼ିଥିବାବେଳେ ବିହାରକୁ ୯୭୩ଟି ଶ୍ରମିକ ସ୍ପେଶିଆଲ ଟ୍ରେନ୍‌ ଯାଇଛି। ଏହି ସମସ୍ତ ଟ୍ରେନ୍‌ ଗୁଜରାଟ, ମହାରାଷ୍ଟ୍ର ଓ ପଞ୍ଜାବରୁ ବାହାରି ଦୁଇ ରାଜ୍ୟରେ ପହଞ୍ଚତ୍ଛି। ଜୁନ୍‌ ପହିଲାରୁ ଅତିରିକ୍ତ ୨୦୦ ଟ୍ରେନ୍‌ ଚଳାଚଳ କରିବ ଏବଂ ଆଗକୁ ବସ୍‌ ସେବା ମଧ୍ୟ ସ୍ବାଭାବିକ ହେବ। ଯାତାୟାତ ସ୍ବାଭାବିକ ହେଲେ ସମସ୍ତ ପ୍ରବାସୀ ଘରେ ପହଞ୍ଚତ୍ପାରିବେ, ଯାହାକି ଗାଁଗୁଡ଼ିକରେ ବିସ୍ଫୋରକ ସ୍ଥିତି ସୃଷ୍ଟି କରିବ ବୋଲି କୁହାଯାଉଛି।

Share