ବିନା ସୁରକ୍ଷାରେ କାମ କରୁଛନ୍ତି କରୋନା ଯୋଦ୍ଧା

ଭୋପାଳ,୨୩।୪: ଭାରତରେ କରୋନା ସଂକ୍ରମଣ ରୋକିବା ଲାଗି ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି। ଏପରିସ୍ଥଳେ କରୋନା ଯୋଦ୍ଧା ପାଲଟି ଥିବା ସଫେଇ କର୍ମଚାରୀଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପ୍ରତି ଦୃଷ୍ଟି ଦିଆଯାଉ ନ ଥିବା ଅଭିଯୋଗ ହୋଇଛି। ମଧ୍ୟପ୍ରଦେଶରେ ବହୁ ସଫେଇ କର୍ମଚାରୀ ବିନା ଗ୍ଲୋଭସ୍‌ରେ ଏବଂ ସାନିଟାଇଜରରେ କାମ କରୁଛନ୍ତି। ଜୀବନକୁ ବାଜି ଲଗାଇ ସେମାନେ କରୋନା ଲଢ଼େଇର ଆଗଧାଡ଼ିରେ ରହିଛନ୍ତି। ସାମାଜିକ ସ୍ବଚ୍ଛତା ସେମାନଙ୍କ ହାତରେ। ସେମାନଙ୍କୁ ମାସିକ ୫୬୦୦ ଟଙ୍କା ଦରମା ମିଳୁଛି। ଅର୍ଥାତ୍‌ ଦିନକୁ ସେମାନଙ୍କର ମଜୁରୀ ହେଉଛି ପ୍ରାୟ ୧୮୬ ଟଙ୍କା। ଏତେ କମ୍‌ ଟଙ୍କାରେ ନିଜର ଅନିଶ୍ଚିତ ଭବିଷ୍ୟତ ମଧ୍ୟରେ ଏହି ସଫେଇ କର୍ମଚାରୀମାନେ କରୋନା ଯୁଦ୍ଧରେ ସାମିଲ୍‌ ହୋଇଛନ୍ତି। ଏକ ରିପୋର୍ଟ ଅନୁସାରେ ଦେଶରେ ପ୍ରାୟ ୫୦ ଲକ୍ଷ ସଫେଇ କର୍ମଚାରୀ ରହିଛନ୍ତି। ସେମାନେ ବିନା ଗ୍ଲୋଭସ୍‌ ଏବଂ ସୁରକ୍ଷା ବ୍ୟବସ୍ଥାରେ ହାତରେ ବର୍ଜ୍ୟ ସଫା କରିବା ଜାରି ରଖିଛନ୍ତି। ହାତରେ ମଇଳା ଲାଗିଲେ ଏହାକୁ ଧୋଇବା ପାଇଁ ଲକ୍‌ ଡାଉନ୍‌ ସମୟରେ ପାଣି ମାଗିଲେ ମଧ୍ୟ କେହି ଦେଉ ନ ଥିବା କିଛି ସଫେଇ କର୍ମଚାରୀ କହିଛନ୍ତି। ରାସ୍ତାଘାଟ ସଫା କରି ଅନ୍ୟମାନଙ୍କ ପାଇଁ ସୁରକ୍ଷା ନିଶ୍ଚିତ କରୁଥିବା ଏହି କର୍ମଚାରୀଙ୍କ ସୁରକ୍ଷା କରୋନା ଲଢ଼େଇ ସମୟରେ ବାଜିରେ ଲାଗିଥିବା କୁହାଯାଉଛି।

Share