ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ

ଆନନ୍ଦପୁର,୨୮।୭(ସ୍ବ.ପ୍ର.) : କେନ୍ଦୁଝର ଜିଲା ଆନନ୍ଦପୁରରେ ବିଧାୟକଙ୍କ ଦ୍ୱାରା ରବିବାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ଆନନ୍ଦପୁର ପୌରପରିଷଦର ଜଳଯୋଗାଣ ହୋଇ ନ ଥିବା ଅବଶିଷ୍ଟାଂଶକୁ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଣ ନିମନ୍ତେ ୧କୋଟି ୧୦ ଲକ୍ଷ ୮୬ ହଜାର ଟଙ୍କାର ପ୍ରକଳ୍ପକୁ ଫକୀରପୁରଠାରେ ବିଧାୟକ ଭାଗୀରଥି ସେଠୀ ଶିଳାନ୍ୟାସ କରିଛନ୍ତି। ୧୧ନଂ.ଓ୍ବାର୍ଡ ଫକୀରପୁରର ପେଣ୍ଠଠାରୁ ବାଲିପଡ଼ା,ବାଲୁଙ୍କେଶ୍ୱର ମନ୍ଦିର ରାସ୍ତାର ନୂତନ ବିଦ୍ୟୁତ୍‌କରଣ ନିମନ୍ତେ ଏକ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରାଯାଇଛି। ସେହିପରି ମହାନଦୀ ବଞ୍ଚାଅ ଅଭିଯାନ କ୍ରମରେ ବୈତରଣୀ ନଦୀପାର୍ଶ୍ୱରେ ବ୍ୟାପକ ବୃକ୍ଷରୋପଣ କରାଯିବା ନିମନ୍ତେ ଟୁକୁଣାଠାରେ ଏକ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବିଧାୟକ ସେଠୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।