Categories: ଗଞ୍ଜାମ

ବିଦ୍ୟୁତ୍‌ ସଂସ୍ପର୍ଶରେ ମୃତ୍ୟୁ ଘଟଣା : ସାଉଥ୍‌କୋ ଅଫିସ ଆଗରେ ଧାରଣା ଦେଲା ଭାଜପା

ବ୍ରହ୍ମପୁର ଅଫିସ,୧୩ା୨-ଦକ୍ଷିଣାଞ୍ଚଳ ବିଦ୍ୟୁତ୍‌ ପରିବଣ୍ଟନ ସଂସ୍ଥା ସାଉଥ୍‌-କୋର ବ୍ରହ୍ମପୁରସ୍ଥ କର୍ପୋରେଟ ଅଫିସ ଆଗରେ ବୁଧବାର ଗଞ୍ଜାମ ସାଙ୍ଗଠନିକ ଜିଲା ଭାଜପା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଓ ଗଣଧାରଣା ଦିଆଯାଇଥିଲା। ଗତ ରବିବାର ରଙ୍ଗେଇଲୁଣ୍ଡା ବ୍ଲକ ମେଣ୍ଢରାଜପୁର ଛକ ରାସ୍ତାରେ ଚଳନ୍ତା ବସ୍‌ ଉପରେ ୧୧ କେଭି ବିଦ୍ୟୁତ୍‌ ତାର ପଡ଼ି ଘଟିଥିବା ଭୟଙ୍କର ଦୁର୍ଘଟଣାରେ ୧୦ ଜଣଙ୍କ ଜୀବନ ଯିବା ସହିତ ଅନେକ ଗୁରୁତର ଆହତ ହୋଇ କଟକ ଓ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ମରଣ ସହ ସଂଗ୍ରାମ କରୁଛନ୍ତି। ମୃତକଙ୍କ ପରିବାରର ଜଣକୁ ସାଉଥ-କୋ ସ୍ଥାୟୀ ଚାକିରି ଦେବା ସହ ୭ ଦଫା ଦାବି ନେଇ ଏହି ଆନ୍ଦୋଳନ କରାଯାଇଥିଲା। ସାଙ୍ଗଠନିକ ଜିଲା ସଭାପତି ବିଭୂତି ଭୂଷଣ ଜେନା ଓ ବରିଷ୍ଠ ନେତା କାହ୍ନୁ ଚରଣ ପତି ନେତୃତ୍ୱ ନେଇଥିଲେ।
ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ଏବଂ ଆହତମାନଙ୍କୁ ତୁରନ୍ତ ୨ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ସାଉଥ-କୋ ପକ୍ଷରୁ ଦିଆଯିବା, ଗଞ୍ଜାମ ଜିଲାର ବିଭିନ୍ନ ଅଞ୍ଚଳରେ ବିପଦସଂକୁଳ ଅବସ୍ଥାରେ ଥିବା ବିଦ୍ୟୁତ୍‌ ଖୁଣ୍ଟ ଓ ତାର ଗୁଡ଼ିକ ବଦଳାଇବା, ସବୁଠି ଭୂ-ତଳ କେବୁଲ ବ୍ୟବସ୍ଥା ଦ୍ୱାରା ବିଜୁଳି ସଂଯୋଗ ପାଇଁ ଭାଜପା ଦାବି କରିଛି। ସେହିପରି ଅନ୍ୟ ଦାବିଗୁଡ଼ିକ ମଧ୍ୟରେ ସାଉଥ-କୋ ପରିସରରେ ଖୋଲାମେଲାରେ ଥିବା ଟ୍ରାନ୍ସଫର୍ମର ଗୁଡ଼ିକ ହଟାଯାଇ ନିରାପଦ ସ୍ଥାନରେ ସ୍ଥାପନ, ଡ଼ାକ୍ତରଖାନାରେ ଆହତମାନଙ୍କୁ ଉନ୍ନତମାନର ଚିକିତ୍ସା ସେବା ଯୋଗାଇବା ଓ ସମସ୍ତ ଖର୍ଚ୍ଚ ସରକାର ବା ସାଉଥ-କୋ ବହନ କରିବା ଆଦି ଅନ୍ତର୍ଭୁକ୍ତ ।
ଆନ୍ଦୋଳନରେ ଜିଲା ସଂଗଠନ ବରିଷ୍ଠ କାର୍ଯ୍ୟକର୍ତ୍ତା ସୁନୀଲ କୁମାର ସାହୁ, ପ୍ରଭାତ କିରଣ ଷଡ଼ଙ୍ଗୀ, ରାମ କୁମାର ପାତ୍ର, ଯୁବମୋର୍ଚ୍ଚା ନେତା ଏନ.ରାଜେନ୍ଦ୍ର କୁମାର, ସିଦ୍ଧାନ୍ତ ଗଙ୍ଗଦେବଙ୍କ ସମେତ ମନୋରଞ୍ଜନ ଦ୍ୟାନସାମନ୍ତରା, ମଦନ ମୋହନ ପାତ୍ର, ପ୍ରଶାନ୍ତ କର, ରାମକୃଷ୍ଣ ରାଓ, ଏସ୍‌. ମୋହନ ଦାସ, ଡ଼ା. ସୁବାସ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଆନ୍ଦୋଳନ ସ୍ଥଳରେ ପ୍ରବଳ ଉତ୍ତେଜନା ଦେଖାଦେବାରୁ ପୋଲିସ ପହଞ୍ଚତ୍ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ। ଧାରଣାସ୍ଥଳକୁ ଆସି ସିଇଓ ଦାବିପତ୍ର ଗ୍ରହଣ କରିଥିଲେ । ସପ୍ତାହକ ମଧ୍ୟରେ ଦାବି ପୂରଣ କରାଯିବାର ଲିଖିତ ପ୍ରତିଶ୍ରୁତି ଦେବାରୁ ଆନ୍ଦୋଳନ ସ୍ଥଗିତ ରଖାଯାଇଥିଲା। ସୂଚନାଯୋଗ୍ୟ, ମେଣ୍ଢରାଜପୁର ଘଟଣା ନେଇ ସିପିଏମ୍‌ ପକ୍ଷରୁ ଏଓ ଏବଂ ସିଇଓଙ୍କୁ ଗିରଫ ଦାବି ନେଇ ପୋଲିସରେ ଏତଲା ଦିଆଯିବା ପରେ କଂଗ୍ରେସର ଏସ୍‌ପି ଅଫିସ ଆଗରେ ବିକ୍ଷୋଭ କରାଯିବା ପରେ ଦୁର୍ଘଟଣାର ଚତୁର୍ଥ ଦିବସରେ ଭାଜପା ପକ୍ଷରୁ ସାଉଥ-କୋ ଘେରାଉ ସହ ଆନ୍ଦୋଳନ ହୋଇଛି। ତେଣୁ ଏହାକୁ ନେଇ ରାଜନୀତି ଜୋର ଧରିଛି।