ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୪ ଶ୍ରମିକ ଆହତ

ରସାଳପୁର,୩୧।୮(ଡି.ଏନ.ଏ.)- ବାଲେଶ୍ୱର ସହରର ଆଇଟିଆଇ ପଡ଼ିଆ ପାର୍ଶ୍ୱରେ ବିଦ୍ୟୁତ୍‌ ଖୁଣ୍ଟ ପୋତିବା କାମରେ ନିୟୋଜିତ ୪ ଠିକା ଶ୍ରମିକ ଶନିବାର ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଆହତ ହୋଇଛନ୍ତି। ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆହତ ଶ୍ରମିକମାନେ ହେଲେ ଶିଳ୍ପାଞ୍ଚଳ ଥାନା ସୋମନାଥପୁର ଅଯୋଧ୍ୟାନଗର ଅଞ୍ଚଳର ମହେଶ୍ୱର ସିଂ (୨୨), ଶିବା ସିଂ (୨୪), ପର୍ଶୁରାମ ମଲ୍ଲିକ (୨୫) ଏବଂ ରେମୁଣା ଥାନା ଦୋଳଗୋହିରା ଅଞ୍ଚଳର ରଜତ ସେଠୀ (୧୯)। ସେମାନଙ୍କ ପାଖରେ ବିଦ୍ୟୁତ ବିଭାଗର କୌଣସି କର୍ମଚାରୀ କିମ୍ବା ଠିକାଦାରଙ୍କୁ ଦେଖିବାକୁ ମିଳି ନାହିଁ। ଶ୍ରମିକମାନେ ମଧ୍ୟ ଠିକାଦାରଙ୍କ ନାମ ଜାଣି ନ ଥିବା କହିଛନ୍ତି।
ବାଲେଶ୍ୱର ସହର ଷ୍ଟେଶନ ଛକଠାରୁ ତାମୁଳିଆ ରେଲୱେ ଓଭରବ୍ରିଜ ପର୍ଯ୍ୟନ୍ତ ଓଟି ରୋଡ୍‌ ରାସ୍ତାକୁ ଓସାର କରିବା ପାଇଁ ବନବିଭାଗ ପକ୍ଷରୁ ଗଛ କଟାଯାଉଛି। ବିଦ୍ୟୁତ ବିଭାଗ ପକ୍ଷରୁ ଖୁଣ୍ଟ ଓ ତାର ବାହାର କରିବା ସହିତ ନୂଆ ଖୁଣ୍ଟ ଓ ତାର ଲଗାଇବା ପାଇଁ ଠିକାଦାରମାନଙ୍କୁ କାର୍ଯ୍ୟାଦେଶ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଠିକାଦାରଙ୍କ ପକ୍ଷରୁ ସହରର ଆଇଟିଆଇ ପଡ଼ିଆ ପାର୍ଶ୍ୱରେ ଖୁଣ୍ଟ ପୋତିବା ପାଇଁ ୭ଜଣ ଶ୍ରମିକଙ୍କୁ ନିୟୋଜିତ କରାଯାଇଥିଲା। ତେବେ ହାଇଡ୍ରୋଲିକ ମେଶିନ୍‌ ସାହାଯ୍ୟରେ ୪ଜଣ ଶ୍ରମିକ ସିମେଣ୍ଟ ଖୁଣ୍ଟଗୁଡ଼ିକୁ ଅନ୍ୟତ୍ର ନେଉଥିଲେ। ମାତ୍ର ଖୁଣ୍ଟଟି ଉପରେ ଥିବା ୧୧କେଭି ତାରରେ ବାଜିଯିବାରୁ ଶ୍ରମିକମାନେ ବିଦ୍ୟୁତ ସଂସ୍ପର୍ଶରେ ଆସି ଆହତ ହୋଇଥିଲେ। ବିଦ୍ୟୁତ୍‌ ବିଭାଗର ଅସାବଧାନତା ଯୋଗୁ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଥିବା ଆଲୋଚନା ହେଉଛି।