ବିଦ୍ୟୁତ୍‌ ତାର ବିଛାଇ ବନ୍ୟଜନ୍ତୁ ଶିକାର ଉଦ୍ୟମ, ଜଣେ ଗିରଫ

ଦେବଗଡ,୬।୧୧(ଡି.ଏନ.ଏ) : ଦେବଗଡ଼ ବନାଞ୍ଚଳ ଅଧୀନ ତିଲେଇବଣି ସେକ୍ସନ ପ୍ରଭାଶୁଣି ସଂରକ୍ଷିତ ଜଙ୍ଗଲରେ ବିଦ୍ୟୁତ୍‌ ତାର ବିଛାଇ ବନ୍ୟଜନ୍ତୁ ଶିକାର ଉଦ୍ୟମ ଚଳାଇଥିବା ଅଭିଯୋଗରେ ବନ ବିଭାଗ ମଙ୍ଗଳବାର ଜଣେ ଶିକାରୀଙ୍କୁ ଗିରଫ କରିଛି। ସେ ହେଲେ ଅଶୁର ଖୋଳ ଗ୍ରାମର ଅର୍ଜୁନ ପେଣ୍ଠେଇ। ଏପରି କି ବନ ବିଭାଗ ତାଙ୍କଠାରୁ ବିଦ୍ୟୁତ୍‌ ତାର ଓ ଧନୁ ତୀର ଜବତ କରିଛି ଅନ୍ୟପକ୍ଷେ ଘଟଣାସ୍ଥଳରୁ ୫ଜଣ ଶିକାରୀ ଫେରାର ହୋଇଯାଇଥିବା ଜଣାପଡିଛି। ମିଳିଥିବା ସୂଚନା ମୁତାବକ, ତିଲେଇବଣି ଫରେଷ୍ଟ ସେକ୍ସନର ଅଶୁରଖୋଳ ନିକଟସ୍ଥ ପ୍ରଭାଶୁଣି ସଂରକ୍ଷିତ ଜଙ୍ଗଲରେ କେତେଜଣ ଶିକାରୀ ବିଦ୍ୟୁତ୍‌ ତାର ବିଛାଉଥିବା ବନ ବିଭାଗକୁ ଖବର ମିଳିଥିଲା। ଏନେଇ ତିଲେଇବଣି ଫରେଷ୍ଟର ସୁଧାଁଶୁ ବେହେରା ସଦଳବଳେ ଜଙ୍ଗଲରେ ଚଢାଉ କରିଥିଲେ। ଚଢାଉ ବେଳେ ଅର୍ଜୁନ ବିଦ୍ୟୁତ୍‌ ତାର ବିଛାଉଥିବା ବେଳେ ଧରାପଡିଥିଲେ। ହେଲେ ଅନ୍ୟ ୫ ସହଯୋଗୀ ଫେରାର ହୋଇଯାଇଥିଲା। ବନ ବିଭାଗ ପକ୍ଷରୁ ୬ଜଣଙ୍କ ବିରୋଧରେ ମାମଲା ରୁୁଜୁ ହୋଇଛି। ଗିରଫ ଅର୍ଜୁନକୁ କୋର୍ଟ ଚାଲାଣ କରାଯାଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ଚଢାଉରେ ଦେବଗଡ଼ ଫରେଷ୍ଟର ପ୍ରଶନ୍ନ କୁମାର ସାହୁ, ତିଲେଇବଣି ଫରେଷ୍ଟଗାର୍ଡ ଅଶୋକ କୁମାର ପାନ୍ନା ଓ ଦେବଗଡ ବନ ବିଭାଗ ସ୍କ୍ବାର୍ଡ ସାମିଲ ହୋଇଥିଲେ।