ବିଦ୍ୟାଳୟରେ ଆଶ୍ରୟ ନେଲେ ଛତିଶଗଡ଼ର ୫ ଶ୍ରମଜୀବୀ ପରିବାର

ସାକ୍ଷୀଗୋପାଳ, ୩୦।୩(ଡି.ଏନ୍‌.ଏ): ପେଟପାଟଣା ପାଇଁ ପଡ଼ୋଶୀ ଛତିଶଗଡ଼ ରାଜ୍ୟ ଦେଓଚିତ୍ରା ଗ୍ରାମରୁ ପଳାଇ ଆସିଥିବା ୫ ଶ୍ରମଜୀବୀ ପରିବାରର ୩୫ ସଦସ୍ୟ କରୋନା କଟକଣାରେ ଫସି ଯାଇଛନ୍ତି। ଲକ୍‌ଡାଉନ ଯୋଗୁ ସେମାନେ ନିଜ ଗାଁକୁ ଫେରିବା ଅସମ୍ଭବ ହୋଇଛି। ସେମାନେ ଦୟନୀୟ ଅବସ୍ଥାରେ ପୁରୀ ଜିଲା ସାକ୍ଷୀଗୋପାଳ ଅଞ୍ଚଳରେ ରହିଥିବା ଜାଣିବା ପରେ ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦିଆଯାଇଛି। ସେମାନଙ୍କୁ ଏବେ ପୁରୀ ରାଜପଥ ପାର୍ଶ୍ୱ କାଦୁଆ ପ୍ରାଥମିକ ବିଦ୍ୟାଳୟରେ ଆଶ୍ରୟ ଦିଆଯାଇଛି। ଖାଇବା ନିମନ୍ତେ ସେମାନଙ୍କୁ ଡାଲି ଚାଉଳ ଓ ପନିପରିବା ଦିଆଯାଇଛି। ତେବେ ସେମାନଙ୍କ ସହିତ ରହିଥିବା ଶିଶୁ ଓ ବାଳିକା ବାଳକଙ୍କ ପାଇଁ କ୍ଷୀର ଓ ଅଣ୍ଡା ଦିଆଯିବା ସହ ସ୍ବାସ୍ଥ୍ୟାବସ୍ଥା ପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କୁ ଦାୟିତ୍ୱ ଦେବାପାଇଁ ସତ୍ୟବାଦୀ ବିଡିଓ ସରୋଜ କୁମାର ଦତ୍ତ କହିଛନ୍ତି। ଚଳିତ ମାସ ୭ ତାରିଖରେ ସେମାନେ କାମ କରିବା ପାଇଁ ଓଡ଼ିଶା ଆସି ସାକ୍ଷୀଗୋପାଳର ଜଣେ ବ୍ୟକ୍ତିଙ୍କ ଘର ନିର୍ମାଣ କାମରେ ପୁରୁଷମାନେ ନିୟୋଜିତ ହୋଇଥିବା ବେଳେ ମହିଳାମାନେ ଆଖପାଖରେ ଚୁଡିଶଙ୍ଖା ବିକ୍ରି କରୁଥିବା ଜଣାପଡ଼ିଛି।