Categories: ବାଣିଜ୍ୟ

ବିତ୍ତୀୟ ପରିଚାଳନା ନେଇ ଅର୍ଥ ମନ୍ତ୍ରଣାଳୟ ସହ ଅର୍ଥ କମିଶନଙ୍କ ଆଲୋଚନା

ନୂଆଦିଲ୍ଲୀ,୧୭-୫: ଅର୍ଥ ଆୟୋଗ ବୁଧବାର ଏଠାରେ ଅର୍ଥ ମନ୍ତ୍ରଣାଳୟ ସହ ହୋଇଥିବା ବୈଠକରେ ବିତ୍ତୀୟ ତଥା ଆର୍ଥିକ ପରିଚାଳନା ନେଇ ଆଲୋଚନା କରିଛି। ଏଥିସହିତ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଯୋଜନାଗୁଡ଼ିକରେ ହେଉଥିବା ଖର୍ଚ୍ଚକୁ ତର୍କସଙ୍ଗତ କରିବା ଲାଗି ମଧ୍ୟ ଆଲୋଚନା ହୋଇଥିଲା। ଗୁରୁବାର ଏ ସମ୍ପର୍କରେ ଆନୁଷ୍ଠାନିକ ଭାବେ ସୂଚନା ଦିଆଯାଇଛି। ଅର୍ଥ ଆୟୋଗଙ୍କ ସୁପାରିସରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଯୋଜନାଗୁଡ଼ିିକୁ ଏକତ୍ର ଯୋଡିବା ଲାଗି ପରାମର୍ଶ ଦିଆଯାଇଛି। ଏଗୁଡ଼ିକୁ ନୂଆ ଜୀବନ ଚକ୍ର ସହ ଯୋଡାଯିବା ଆବଶ୍ୟକ ବୋଲି କୁହାଯାଇଛି। ସୂଚନାଥାଉ କି, କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନାକୁ ରାଜ୍ୟ ସରକାର ହିଁ ତୁଲାଇଥାନ୍ତି। ଏଥିପାଇଁ କେନ୍ଦ୍ର କେବଳ ଆର୍ଥିକ ସହାୟତା ଦେଇଥାଏ। ତେବେ କେନ୍ଦ୍ର ପ୍ରାୟୋଜିତ ଯୋଜନାଗୁଡ଼ିକରେ ହେଉଥିବା ଖର୍ଚ୍ଚର ଏକ ଅଂଶ ରାଜ୍ୟ ସରକାରଗୁଡ଼ିକୁ ମଧ୍ୟ ବହନ କରିବାକୁ ପଡେ। ପ୍ରତ୍ୟକ୍ଷ ଟିକସ ଆଦାୟକୁ ନେଇ ୧୫ତମ ଅର୍ଥ ଆୟୋଗ ସନ୍ତୋଷ ବ୍ୟକ୍ତ କରିଥିବା ବେଳେ ପରୋକ୍ଷ ଟିକସ ଆଦାୟକୁ ନେଇ ଅସନ୍ତୁଷ୍ଟ ଥିବା ଜଣାଇଛନ୍ତି। ଅନୁଷ୍ଠିତ ବୈଠକରେ ଅର୍ଥ ସଚିବ ସୁଭାଷ ଚନ୍ଦ୍ର ଗର୍ଗ, ରାଜସ୍ବ ସଚିବ ଅଜୟ ଭୂଷଣ ପାଣ୍ଡେ, ବ୍ୟୟ ସଚିବ ଗିରୀଶ ଚନ୍ଦ୍ର ମୁର୍ମୁ, ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟନ, ସିବିଡିଟି ଅଧ୍ୟକ୍ଷ ପି.ସି.ମୁଡି ଏବଂ ସିବିଆଇସି ଅଧ୍ୟକ୍ଷ ପି.କେ. ଦାସ ସାମିଲ ହୋଇଥିଲେ। ତେବେ ଅର୍ଥ ଆୟୋଗ ପକ୍ଷରୁ ଏନ୍‌. ସିଂ ବୈଠକରେ ଅଧ୍ୟକ୍ଷତା କରିଥିଲେ।

Share