ବିଡିଓଙ୍କ ବଦଳିକୁ ବିରୋଧ: ଆନ୍ଦୋଳନ ଚେତାବନୀ ଦେଲା ମହିଳା ମହାସଂଘ

ଗୋପ,୨୩।୧୧(ଡି.ଏନ୍‌.ଏ.): ଗୋପ ବିଡିଓ ଦୀପ୍ତିରାଣୀ ଦାସ ଯୋଗଦେବାର ଏକ ବର୍ଷ ପୂରି ନ ଥିବାବେଳେ ତାଙ୍କ ବଦଳିକୁ ବାତିଲ ଦାବିରେ ବିଭିନ୍ନ ସଂଗଠନ ପକ୍ଷରୁ ସ୍ଥାନୀୟ ବିଧାୟକ ତଥା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ହୋଇଛି। ଗୋପ ମହିଳା ମହାସଂଘ ସଭାନେତ୍ରୀ ମିନାକ୍ଷୀ ପୃଷ୍ଟି କହିଛନ୍ତି ଯେ, ବିଡିଓଙ୍କ ବଦଳିକୁ ବାତିଲ କରା ନ ଗଲେ ହଜାର ହଜାର ମହିଳା ରାଜରାସ୍ତାକୁ ଆସି ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।
ପୃଷ୍ଟି କହିଛନ୍ତି, ଗୋପ ବ୍ଲକ୍‌ରେ ୬ ମାସରୁ ଊର୍ଦ୍ଧ୍ୱ କୌଣସି ବିଡିଓ ରହିପାରୁ ନ ଥିବାବେଳେ ଦାସ ଯୋଗ ଦେଇ ବିଭିନ୍ନ ଅଞ୍ଚଳର କାର୍ଯ୍ୟ ଯେପରି ସୁଚାରୁରୂପେ ହୋଇପାରିବ ସେଥିପ୍ରତି ଧ୍ୟାନ ଦେଇଥିଲେ। ସେ ମହିଳାମାନଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ବିଶେଷ ଦୃଷ୍ଟି ଦେଇଥିଲେ। ଏପରିକି ପ୍ରତି ପଞ୍ଚାୟତର ଉନ୍ନୟନ କାର୍ଯ୍ୟଗୁଡ଼ିକ ଯେପରି ସୁଚାରୁରୂପେ ହୋଇପାରିବ ସେଥିପ୍ରତି ସେ ଯତ୍ନବାନ ହୋଇଥିଲେ। ତାଙ୍କ ବଦଳି ଯୋଗୁ ବ୍ଲକ୍‌ରେ ବ୍ୟାପକ କ୍ଷତି ଘଟିବ ବୋଲି ପୃଷ୍ଟି କହିଥିଲେ। ଏହି ସଂଗଠନ ସହିତ ବିଭିନ୍ନ ଅଞ୍ଚଳର ମହିଳା ସଂଗଠନ ଯୋଗଦେଇ କାର୍ଯ୍ୟ କରିବେ ବୋଲି ଯାମିନୀ ଦଳାଇ, କାନନବାଳା ଦାଶ, ରେଣୁବାଳା ନାୟକ, ସ୍ବର୍ଣ୍ଣଲତା ପାଢ଼ୀ ପ୍ରମୁଖ ସୂଚନା ଦେଇଥିଲେ।