Categories: ବାଣିଜ୍ୟ

ବିଜୟ ମାଲ୍ୟା ପ୍ରତ୍ୟର୍ପଣ ମାମଲା;ହାଇକୋର୍ଟରେ ଜୁଲାଇ ୨ରେ ଶୁଣାଣି

ଲଣ୍ଡନ,୨୭-୪: ମଦ ବ୍ୟବସାୟୀ ବିଜୟ ମାଲ୍ୟା ପ୍ରତ୍ୟର୍ପଣ ମାମଲାରେ ଲଣ୍ଡନ ହାଇକୋର୍ଟ ଜୁଲାଇ ୨ରେ ଶୁଣାଣି କରିବେ। ସେହି ଦିନ ମାଲ୍ୟାଙ୍କ ପକ୍ଷରୁ ହାଇକୋର୍ଟରେ ମାମଲା ଚାଲିବା ନେଇ ଯୁକ୍ତି ଦର୍ଶାଯିବ। ବିଚାରପତି ଏହାକୁ ଗ୍ରହଣ କଲେ ତଳ କୋର୍ଟର ରାୟ ବିରୋଧରେ ମାମଲାର ନିୟମିତ ଶୁଣାଣି ହେବ।

ସୂଚନାଯୋଗ୍ୟ ଓ୍ବେଷ୍ଟମିନିଷ୍ଟର କୋର୍ଟ ପ୍ରତ୍ୟର୍ପଣ କରିବା ଲାଗି ନିର୍ଦ୍ଦେଶ ଦେବା ପରେ ବ୍ରିଟେନ ସରକାରଙ୍କ ପକ୍ଷରୁ ମାଲ୍ୟାଙ୍କ ପ୍ରତ୍ୟର୍ପଣ ଲାଗି ପଦକ୍ଷେପ ନିଆଯାଇଥିଲା। ଗୃହ ସଚିବ ସାଜିଦ ଜାଭିଦ ଫେବୃୟାରୀରେ ପ୍ରତ୍ୟର୍ପଣ ସଂକ୍ରାନ୍ତ ଫାଇଲରେ ସ୍ବାକ୍ଷର କରିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା କଥା। କିନ୍ତୁ ଓ୍ବେଷ୍ଟମିନିଷ୍ଟର ଅଦାଲତଙ୍କ ରାୟକୁ ଚ୍ୟାଲେଞ୍ଜ କରି ମାଲ୍ୟାଙ୍କ ପକ୍ଷରୁ ହାଇକୋର୍ଟରେ ଏକ ଲିଖିତ ଆବେଦନ ଦିଆଯାଇଥିଲା। ତେବେ ହାଇକୋର୍ଟ ବିଚାରପତି ଜଷ୍ଟିସ ଓ୍ବିଲିୟମ ଡେଭିସ ସେତେବେଳେ ଏହାକୁ ଗ୍ରହଣ କରି ନଥିଲେ ଏବଂ ମୌଖିକ ଶୁଣାଣି ପାଇଁ ଆବେଦନ କରିବାକୁ ତାଙ୍କୁ ଏକ ସପ୍ତାହ ସମୟ ଦେଇଥିଲେ। ଏହା ପରେ ମାଲ୍ୟାଙ୍କ ପକ୍ଷରୁ ପୁନର୍ବାର ଆଉ ଏକ ଆବେଦନ ଦିଆଯାଇଛି, ଯାହା ଉପରେ ମୌଖିକ ଶୁଣାଣି ହେବ। ଜୁଲାଇ ୨ ଏଥିପାଇଁ ଦିନ ଧାର୍ଯ୍ୟ ହୋଇଛି ବୋଲି ୟୁକେ କୋର୍ଟ ଅଧିକାରୀ ପ୍ରକାଶ କରିଛନ୍ତି। ତାଙ୍କର କହିବାନୁଯାୟୀ, ଆଇନ ଦୃଷ୍ଟିରୁ ମୌଖିକ ଶୁଣାଣି ପାଇଁ ପୁନଃ ଆବେଦନ କରାଯିବା ମାତ୍ରେ ହାଇକୋର୍ଟ ବିଚାରପତି ଏହାକୁ ଗ୍ରହଣ କରି ଏହାକୁ ଶୁଣାଣି ପାଇଁ ତାଲିକାଭୁକ୍ତ କରିଥାନ୍ତି। ଉଲ୍ଲେଖଥାଉ କି, ମାଲ୍ୟାଙ୍କ ପ୍ରତ୍ୟର୍ପଣକୁ ନେଇ ଜୁଲାଇ ୨ରେ ତାଙ୍କର ଓକିଲ ଏବଂ ଭାରତୀୟ ଯାଞ୍ଚ ଏଜେନ୍ସିଙ୍କ ପକ୍ଷରୁ କ୍ରାଉନ ପ୍ରୋସିକ୍ୟୁଶନ ସର୍ଭିସ ମୁହଁାମୁହିଁ ହେବେ। ଏହାକୁ ଭିତ୍ତି କରି ହାଇକୋର୍ଟ ବିଚାରପତି ପୂର୍ଣ୍ଣ ଶୁଣାଣି ପାଇଁ ନିଷ୍ପତ୍ତି ନେବେ। ତେବେ ମାଲ୍ୟାଙ୍କ ପାଇଁ ଏହା ହେବ ଶେଷ ସୁଯୋଗ। କାରଣ ହାଇକୋର୍ଟରେ ଶୁଣାଣି ଆବେଦନ ଦୁଇଥର ଖାରଜ ହୋଇଯିବା ପରେ ସେ ସ୍ଥାନୀୟ ଆଇନ ଦୃଷ୍ଟିରୁ ସୁପ୍ରିମକୋର୍ଟରେ ଆବେଦନ କରିପାରିବେ ନାହିଁ। ଏହାପରେ ମାଲ୍ୟାଙ୍କ ନିକଟରେ ଫ୍ରାନ୍ସର ଷ୍ଟ୍ରାଶବର୍ଗରେ ଥିବା ମାନବାଧିକାର ସଂକ୍ରାନ୍ତ ୟୁରୋପୀୟାନ ଅଦାଲତରେ ଆବେଦନ କରିବାର ଶେଷ ସୁଯୋଗ ମିଳିବ। ଭାରତୀୟ ଜେଲ୍‌ରେ ରହିବାରେ ତାଙ୍କର ଜୀବନ ପ୍ରତି ବିପଦ ଥିବା ଦର୍ଶାଇବାକୁ ମାଲ୍ୟା ସେତେବେଳେ ଚେଷ୍ଟା କରିବେ। ସୂଚନାଥାଉ କି, ୨୦୧୭ରେ ସ୍କଟଲାଣ୍ଡ ୟାର୍ଡ ଗିରଫ କରିବା ପରେ ଉକ୍ତ ମଦ ବ୍ୟବସାୟୀ ଏବେ ଜାମିନରେ ରହିଛନ୍ତି।

Share