Categories: ଖେଳ

ବିଜୟ ଦ୍ୱାରରେ ଭାରତ-ଏ

ବେଙ୍ଗାଲୁରୁ, ୩।୬- ହୁବ୍‌ଲୀସ୍ଥିତ ନେହେରୁ ଷ୍ଟାଡିୟମ୍‌ରେ ଭ୍ରମଣକାରୀ ଶ୍ରୀଲଙ୍କା-ଏ ବିପକ୍ଷରେ ଚାଲିଥିବା ଅନ୍ତିମ ତଥା ୨ୟ ଅନ୍‌ଅଫିସିଆଲ ଟେଷ୍ଟ ମ୍ୟାଚ୍‌ରେ ଭାରତ-ଏ ବିଜୟ ଦ୍ୱାରଦେଶରେ ପହଞ୍ଚତ୍ଛି। ପ୍ରିୟଙ୍କ ପଞ୍ଚଲଙ୍କ ନେତୃତ୍ୱାଧୀନ ଭାରତ-ଏ ପକ୍ଷରୁ ଧାର୍ଯ୍ୟ ୪୩୦ ରନ୍‌ର ଟାର୍ଗେଟ୍‌କୁ ପିଛାକରି ଶ୍ରୀଲଙ୍କା-ଏ ରବିବାର ୩ୟ ଦିବସ ଶେଷସୁଦ୍ଧା ୭ ଉଇକେଟ୍‌ ହରାଇ ୨୧୦ ରନ୍‌ ସଂଗ୍ରହ କରିଛି। ଭାନୁକା ରାଜପକସା ଦଳ ପକ୍ଷରୁ ସର୍ବାଧିକ ୧୧୦ ରନ୍‌ କରିଛନ୍ତି। କାମିନ୍ଦୁ ମେଣ୍ଡିସ ୩୩ ଓ ସନ୍ଦାକନ ୨ ରନ୍‌ କରି ଅପରାଜିତ ରହିଛନ୍ତି। ଭାରତ ପକ୍ଷରୁ ଲେଗ୍‌-ସ୍ପିନର ରାହୁଲ ଚହର ୩ଟି ଉଇକେଟ୍‌ ଅକ୍ତିଆର କରିଛନ୍ତି। ହାତରେ ୩ ଉଇକେଟ୍‌ ରହିଥିବାବେଳେ ଶ୍ରୀଲଙ୍କାକୁ ବିଜୟ ପାଇଁ ଆହୁରି ୨୨୦ ରନ୍‌ ଆବଶ୍ୟକ ହେଉଛି। ସୋମବାର ମ୍ୟାଚ୍‌ର ଅନ୍ତିମ ଦିବସ ହୋଇଥିବାରୁ ଫଳାଫଳ ବାହାରିବା ଏକପ୍ରକାର ନିଶ୍ଚିତ ହୋଇଛି।
ଅସମାପ୍ତ ୨ୟ ଇନିଂସ୍‌ ସ୍କୋର ୨୧୬/୬ରୁ ବ୍ୟାଟିଂ ଆରମ୍ଭ କରିଥିବା ଭାରତ-ଏ ରବିବାର ୩୭୨ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ନିମ୍ନକ୍ରମରେ ରାହୁଲ ଚହର (୮୪) ଓ ଜୟନ୍ତ ଯାଦବ (୫୩)ଙ୍କ ଉପଯୋଗୀ ବ୍ୟାଟିଂ ଯୋଗୁ ଭାରତ-ଏ ଏକ ଦୃଢ଼ ସ୍କୋର ଠିଆ କରିପାରିଥିଲା। ଅନ୍ୟମାନଙ୍କ ମଧ୍ୟରେ ଅନ୍‌ମୋଲପ୍ରୀତ୍‌ ସିଂ (୬୦), ସିଦ୍ଦେଶ ଲାଡ୍‌ (୫୮) ଓ ଉଇକେଟ୍‌କିପର ଶ୍ରୀକର ଭରତ (୬୦) ଅର୍ଦ୍ଧଶତକ ହାସଲ କରିଥିଲେ। ଶ୍ରୀଲଙ୍କା-ଏ ପକ୍ଷରୁ ବିଶ୍ୱ ଫର୍ନାଣ୍ଡୋ ଓ ଲକ୍ଷନ ସନ୍ଦାକନ ୩ଟି ଲେଖାଏ ଉଇକେଟ୍‌ ନେଇଛନ୍ତି। ପ୍ରଥମ ଇନିଂସ୍‌ରେ ୫୭ ରନ୍‌ ପଛରେ ରହିଥିବା ଶ୍ରୀଲଙ୍କା-ଏ’କୁ ୪୩୦ ରନ୍‌ର ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା। ପୂର୍ବରୁ ଭାରତ-ଏ ପ୍ରଥମ ଇନିଂସ୍‌ରେ ୨୬୯ ରନ୍‌ କରିଥିବାବେଳେ ଶ୍ରୀଲଙ୍କା-ଏ ୨୧୨ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା।

Share