Categories: ଜାତୀୟ

ବିଚ୍ଛିନ୍ନତାବାଦୀ ନେତାଙ୍କୁ ଅର୍ଥ ଯୋଗାଉଛି ପାକ୍‌: ଏନ୍‌ଆଇଏ

ନୂଆଦିଲ୍ଲୀ,୧୭ା୬(ପି.ଟି.): ଜମ୍ମୁ-କଶ୍ମୀର କଠୋରପନ୍ଥୀ ବିଚ୍ଛିନ୍ନତାବାଦୀ ନେତାମାନଙ୍କୁ ପାକିସ୍ତାନ ବିପୁଳ ଅର୍ଥ ଯୋଗାଇ ଦେଉଛି। ସେହି ଅର୍ଥକୁ ସେମାନେ ନିଜର ବ୍ୟକ୍ତିଗତ ସ୍ବାର୍ଥ ଲାଗି ବ୍ୟୟ କରୁଛନ୍ତି। ସେମାନେ ନିଜ ପାଇଁ ସମ୍ପତ୍ତି ଠୁଳ କରିବା ସହ ପିଲାମାନଙ୍କୁ ବିଦେଶରେ ପାଠ ପଢ଼ାଉଛନ୍ତି। ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣର ତଦନ୍ତ କରୁଥିବା ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଏହା ଜାଣିବାକୁ ପାଇଛି। ହୁରିୟାତ୍‌ କନ୍‌ଫରେନ୍ସ ସମେତ ବିଭିନ୍ନ ବିଚ୍ଛିନ୍ନତାବାଦୀ ସଂଗଠନର ନେତାମାନଙ୍କୁ ଜେରାବେଳେ ସେମାନେ ପାକିସ୍ତାନରୁ ଆର୍ଥିକ ସହାୟତା ପାଉଥିବା ସ୍ବୀକାର କରିଛନ୍ତି। କଶ୍ମୀର ଉପତ୍ୟକାର ଲୋକମାନଙ୍କ ମଧ୍ୟରେ ଭାରତଠାରୁ ଅଲଗା ହେବାର ମନୋଭାବ ବଢ଼ାଇବା ଏବଂ ଆତଙ୍କବାଦର ପ୍ରସାର ଲାଗି ପାକିସ୍ତାନ ଏହି ଅର୍ଥ ଯୋଗାଇଦେଉଛି।
ଡ୍ୟୁକତାରାନ-ଇ-ମିଲାତ ସଂଗଠନର ଅଗ୍ନିବର୍ଷୀ ନେତ୍ରୀ ଆସିୟା ଅଣ୍ଡରବି ତାଙ୍କ ପୁଅକୁ ମାଲେସିଆରେ ପଢ଼ାଇବା ପାଇଁ ଏତେ ଟଙ୍କା କେଉଁଠୁ ଆଣୁଛନ୍ତି ବୋଲି ଏନ୍‌ଆଇଏ ପ୍ରଶ୍ନ କରିଥିଲା। ସେ ବିଦେଶରୁ ଆର୍ଥତ୍କ ସହାୟତା ପାଉଥିବା ସ୍ବୀକାର କରିଥିଲେ। ଅନ୍ୟଜଣେ ବିଚ୍ଛିନ୍ନତାବାଦୀ ନେତା ଶବିର ଶାହଙ୍କ ପହଲଗାମ୍‌ରେ ହୋଟେଲ ସମେତ ଅନ୍ୟାନ୍ୟ ବ୍ୟବସାୟ ଏବଂ ଜମ୍ମୁ, ଶ୍ରୀନଗର ଓ ଅନନ୍ତନାଗରେ ସମ୍ପତ୍ତି ଥିବା ସେ ମାନିଛନ୍ତି। ପାକିସ୍ତାନରୁ ପାଉଥିବା ଆର୍ଥତ୍କ ସହାୟତାରେ ସେ ଏସବୁ କରିଛନ୍ତି। ପାକିସ୍ତାନୀ ଏଜେଣ୍ଟ ଏବଂ ଅଲ୍‌ ପାର୍ଟି ହୁରିୟାତ୍‌ କନ୍‌ଫରେନ୍ସ ଜରିଆରେ ଏହି ଅର୍ଥ କାରବାର ହେଉଥିବାର ପ୍ରମାଣ ମିଳିଛି। ବିଦେଶରୁ ଅର୍ଥ ସଂଗ୍ରହ ଓ ଏହାର ବିନିଯୋଗକୁ ନେଇ ହ୍ୟୁରିୟାତ୍‌ କନ୍‌ଫରେନ୍ସରେ ଫାଟ ସୃଷ୍ଟି ହୋଇଥିବା ଜଣାପଡିଛି।

Share