Categories: ବାଣିଜ୍ୟ

ବିକ୍ରି ବୃଦ୍ଧି ଲାଗି ଅଟୋମୋବାଇଲ କମ୍ପାନୀଙ୍କ ଭାରି ଡିସ୍‌କାଉଣ୍ଟ ଯୋଜନା

ନୂଆଦିଲ୍ଲୀ,୮-୯: ମାନ୍ଦାବସ୍ଥା ମାଡ଼ର ସାମ୍ନା କରୁଥିବା ଅଟୋ ଉଦ୍ୟୋଗ ସରକାରଙ୍କ ଠାରୁ ସହାୟତା ପାଇବା ଅପେକ୍ଷାରେ ରହିଛନ୍ତି। କିନ୍ତୁ ସେମାନେ ନିଜ ଆଡୁ ଏହି ପରିସ୍ଥିତିର ସାମ୍ନା କରିବାକୁ ଏବେ ଅଣ୍ଟା ଭିଡିଛନ୍ତି। ଅଟୋ କମ୍ପାନୀଗୁଡ଼ିକ କାର୍‌, ଦୁଇଚକିଆ ଗାଡ଼ି ସମେତ ଟ୍ରକ୍‌ ଭପରେ ଭାରି ଡିସ୍‌କାଉଣ୍ଟ ଘୋଷଣା କରିଛନ୍ତି। ପ୍ରାପ୍ତ ସୂଚନାନୁସାରେ, ଅଟୋ କମ୍ପାନୀ ଓ ଡିଲରଙ୍କ ନିକଟରେ ଭାରି ମାତ୍ରାରେ ପୁରୁଣା ଷ୍ଟକ୍‌ ପଡିରହିଛି। ଏହାକୁ ହଟାଇବା ଏବେ ସେମାନଙ୍କର ପ୍ରାଥମିକତା ରହିଛି। ଷ୍ଟକ୍‌ ବୃଦ୍ଧି ପାଇବା କାରଣରୁ ସେମାନେ ଉତ୍ପାଦନ ବନ୍ଦ କରୁଛନ୍ତି ଅଥବା ସ୍ବଳ୍ପ ମାତ୍ରାରେ ଜାରି ରଖିଛନ୍ତି। ପୂର୍ବେ ଅଟୋ କମ୍ପାନୀ ଦାମ୍‌ ଉପରେ ୫ରୁ୭% ଡିସ୍‌କାଉଣ୍ଟ ଦେଉଥିବା ବେଳେ ଏବେ କାର୍‌, ବାଇକ୍‌ ଉପରେ ଡିଲର ୨୯% ପର୍ଯ୍ୟନ୍ତ ଏବଂ ଟ୍ରକ୍‌ ଉପରେ ୨୫% ପର୍ଯ୍ୟନ୍ତ ଦାମ୍‌ରେ ଛାଡ଼ କରୁଛି। ମାରୁତି, ହୋଣ୍ଡା, ଟୟୋଟା, ହ୍ୟୁଣ୍ଡାଇ, ରେନୋ ଏବଂ ନିଶାନ ଭଳି କାର୍‌ କମ୍ପାନୀ ବିକ୍ରି ବଢ଼ାଇବା ଲାଗି ୪୦ ହଜାର ଟଙ୍କାରୁ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଡିସ୍‌କାଉଣ୍ଟ ଦେବା ଆରମ୍ଭ କରିଛନ୍ତି। ସେହିପରି ଟ୍ରକ୍‌ ନିର୍ମାତାମାନେ ୩,୭୫,୦୦୦ ଟଙ୍କା ପର୍ଯ୍ୟନ୍ତ ଛୋଟ-ବଡ଼ ଟ୍ରକ୍‌ ଉପରେ ଛାଡ଼ ଘୋଷଣା କରିଛନ୍ତି। ଦେଶର ସର୍ବବୃହତ କାର୍‌ ନିର୍ମାତ ମାରୁତି ସୁଜୁକି ଏହାର ପ୍ରମୁଖ ଗାଡ଼ି ଉପରେ ୫୦ ହଜାରରୁ ୧.୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଡିସ୍‌କାଉଣ୍ଟ ଦେଉଛି।

Share