ବିଏସ୍‌ଏଫ୍‌ କର୍ମଚାରୀଙ୍କ ବିରୋଧରେ ହତ୍ୟା ଅଭିଯୋଗ : ପାପରମେଟଲା ଥାନା ଘେରିଲେ ଆଦିବାସୀ

ଚିତ୍ରକୋଣ୍ଡା,୧୫।୯(ଡି.ଏନ୍‌.ଏ.) : ବିଏସ୍‌ଏଫ୍‌ କର୍ମଚାରୀଙ୍କ ବିରୋଧରେ ହତ୍ୟା ଅଭିଯୋଗ ନେଇ ଶତାଧିକ ଆଦିବାସୀ ପାପରମେଟଲା ଥାନା ତଥା ବିଏସ୍‌ଏଫ୍‌ କ୍ୟାମ୍ପ ଘେରାଉ କରିଛନ୍ତି। ମାଲକାନଗିରି ଜିଲା ଚିତ୍ରକୋଣ୍ଡାର ସ୍ବାଭିମାନ ଅଞ୍ଚଳରେ ପାପରମେଟଲା ପଞ୍ଚାୟତ ଯନ୍ତାପାଇ ଗାଁମୁଣ୍ଡରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ରୋଷେଇ ଘରୁ ମିଳିଛି ଏକ ମୃତଦେହ। ମୃତଦେହରେ କ୍ଷତଚିହ୍ନ ଥିବା ଦେଖିବାକୁ ମିଳିଛି। ମୃତକ ଜଣକ ହେଉଛନ୍ତି ଧୂଳିପୁଟ ପଞ୍ଚାୟତ ରାଙ୍ଗନିଗୁଡ଼ା ଗ୍ରାମର ରାଜୁ ହାନ୍ତାଳ। ଶନିବାରଠାରୁ ସେ ନିଖୋଜ ଥିଲେ। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଶୁକ୍ରବାର ଯନ୍ତାପାଇ ଠାରେ ସାପ୍ତାହିକୀ ହାଟକୁ ତାଙ୍କ ଦୁଇ ଝିଅଙ୍କ ସହିତ ଔଷଧ ଓ ସଉଦା କିଣିବାକୁ ଆସିଥିଲେ। ସେହି ହାଟରୁ ବିଏସ୍‌ଏଫ୍‌ କର୍ମଚାରୀ ରାଜୁଙ୍କୁ ଡାକି ନେଇଥିଲେ। ତା’ ପରଠାରୁ ରାଜୁ ଘରକୁ ଫେରି ନ ଥିଲେ। ପରେ ଯନ୍ତାପାଇ ଅଙ୍ଗନବାଡ଼ି ରୋଷେଇ ଘରେ ରାଜୁଙ୍କ ମୃତଦେହ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ଖବର ପାଇ ପରିବାର ଲୋକେ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ରାଜୁଙ୍କ ମୃତ୍ୟୁକୁ ନେଇ ଜନସାଧାରଣଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କିଛି ସମୟ ମଧ୍ୟରେ ଘଟଣାସ୍ଥଳରେ ସାଧା ପୋଷାକରେ ଥିବା ବିଏସ୍‌ଏଫ୍‌ କର୍ମଚାରୀ ପହଞ୍ଚିଥିଲେ। ଏହି ଘଟଣାକୁ ନେଇ ବିଏସ୍‌ଏଫ୍‌ ଓ ଲୋକଙ୍କ ମଧ୍ୟରେ ବଚସା ହୋଇଥିଲା। ପୋଲିସ ସେଠାରେ ବୁଝାସୁଝା କରିଥିଲା। ଅନ୍ୟପକ୍ଷରେ ଏ ସମ୍ପର୍କରେ କୌଣସି ବିଏସ୍‌ଏଫ୍‌ କର୍ମଚାରୀଙ୍କ ପ୍ରତିକ୍ରିୟା ମିଳିନାହିଁ। ମୃତଦେହ ବ୍ୟବଚ୍ଛେଦ ପରେ ତଦନ୍ତ କରାଯାଇ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି। ମୃତଦେହ ବ୍ୟବଚ୍ଛେଦ ପାଇଁ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟରେ ପୋଲିସ ପହଞ୍ଚାଇଥିବା ବେଳେ ଧୂଳିପୁଟ, ରାଲେଗଡା ଓ ଯନ୍ତାପାଇ ଅଞ୍ଚଳର ଶତାଧିକ ଆଦିବାସୀ ପାପରମେଟେଲା ଥାନା ଓ ବିଏସ୍‌ଏଫ୍‌ କ୍ୟାମ୍ପ ଘେରାଉ କରିଛନ୍ତି।