ବିଏଡ୍‌-ଏମ୍‌ଏଡ୍‌ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ ତେଜିଲା

ବାଲେଶ୍ୱର ଅଫିସ, ୩।୧୧-ବିଏଡ୍‌ ଓ ଏମ୍‌ଏଡ୍‌ ପାସ୍‌ କରିଥିବା ପ୍ରାର୍ଥୀଙ୍କୁ ମହାବିଦ୍ୟାଳୟରେ ନିଯୁକ୍ତି ଦେବା ପାଇଁ ସରକାର ନିୟମ କରି ହାଇସ୍କୁଲରେ ଶିକ୍ଷକତା କରିବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ହାଇସ୍କୁଲରେ ନିଯୁକ୍ତି ସୁଯୋଗ ନ ଥିବା ବେଳେ ସେମାନଙ୍କୁ ମହାବିଦ୍ୟାଳୟରେ ନିଯୁକ୍ତି ମିଳୁ ନ ଥିବା ପ୍ରତିବାଦରେ ଶନିବାର ପୂର୍ବାହ୍ନ ସମୟରେ ଫକୀରମୋହନ ବିଶ୍ୱବିଦ୍ୟାଳୟର ବିଏଡ୍‌, ଏମ୍‌ଏଡ ଛାତ୍ରୀଛାତ୍ର ପୁରୁଣା କ୍ୟାମ୍ପସ୍‌ ଫାଟକରେ ତାଲା ପକାଇ ବନ୍ଦ କରିବା ସହ ଆନ୍ଦୋଳନ ଜାରି ରଖିଛନ୍ତି।
ବିଶ୍ୱବିଦ୍ୟାଳୟର କୁଳପତି ଡ. ମଧୁମିତା ଦାସ ପହଞ୍ଚତ୍ ଆନ୍ଦୋଳନରତ ଛାତ୍ରୀଛାତ୍ରଙ୍କ ସହ ସେମାନଙ୍କ ଦାବି ସମ୍ପର୍କରେ ଆଲୋଚନା କରିଥିଲେ। ପୂର୍ବରୁ ପ୍ରତିଶ୍ରୁତି ଦେଇ କାର୍ଯ୍ୟକାରୀ ନ ହୋଇଥିବାରୁ ଛାତ୍ରୀଛାତ୍ରମାନେ ଲିଖିତ ପ୍ରତିଶ୍ରୁତି ଦାବି କରିଥିଲେ। ଏହା ନ ଦେବାରୁ ପୁନର୍ବାର ଆନ୍ଦୋଳନ ଜାରି ରହିଥିଲା। ଅପରାହ୍ନ ୨ଟାରେ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଅମର ସିଂ ସୋରେନ୍‌ ପହଞ୍ଚତ୍ ଛାତ୍ରୀଛାତ୍ରଙ୍କ ସହ ଆଲୋଚନା କରିଥିଲେ। ସେମାନଙ୍କର ସମସ୍ତ ଦାବି ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବାର ପ୍ରତିଶ୍ରୁତି ଦେବା ପରେ ସନ୍ଧ୍ୟା ୭ଟାରେ ଆନ୍ଦୋଳନ ସ୍ଥଗିତ ରଖାଯାଇଥିବା ବିଏଡ୍‌-ଏମ୍‌ଏଡ୍‌ରେ ପାସ୍‌ କରିଥିବା ଛାତ୍ର ନିଲେଶ କୁମାର ସ୍ବାଇଁ, ଦ୍ୱିତୀୟବର୍ଷର ଛାତ୍ର ଲକ୍ଷ୍ମୀନାରାୟଣ ନାୟକ, ଇରମ୍‌ ସ୍ବାଇଁ, ଛାତ୍ରୀ ସୁପ୍ରଭା ପଣ୍ଡା, ସରିତା ସାହୁ, ତୃତୀୟବର୍ଷର ଛାତ୍ରୀ ଶ୍ରାବଣୀ ବେହେରା, ଉତ୍ସର୍ଗ ଜେନା, ପ୍ରୟବ୍ରତ ସେନାପତି ପ୍ରମୁଖ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଆନ୍ଦୋଳନରେ ସାମିଲ୍‌ ହୋଇଥିବା ଦ୍ୱିତୀୟବର୍ଷର ଛାତ୍ରୀ ଅର୍ଚ୍ଚନା ଘଡ଼େଇ ସନ୍ଧ୍ୟା ସମୟରେ ଚେତାଶୂନ୍ୟ ହୋଇପଡ଼ିଥିବା ଖବର ମିଳିଛି।