ବାୟ ବାୟ ଦିଲ୍‌

ନୂଆ ଓଡ଼ିଆ ସିନେମା ‘ବାୟ ବାୟ ଦିଲ୍‌’କୁ ନେଇ ଓଲିଉଡ୍‌ରେ ଚର୍ଚ୍ଚା। କାରଣ ଏହାର ନାୟିକା ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ରୁଷୀୟ ଲଳନା ଆଲେକ୍‌ଜାଣ୍ଡ୍ରା ସ୍କେଲସୁନୋଭା ଓରଫ ସାସା। ମଡେଲିଂ ସହ ଜଡ଼ିତ ଏହି ନବାଗତା ପ୍ରଥମ ଥର ପାଇଁ ଓଡ଼ିଆ ସିନେମାରେ ଅଭିନୟ କରିବେ। ମହ୍ଲାର ଏଣ୍ଟରଟେନ୍‌ମେଣ୍ଟ ଏବଂ ଏ.ବି. ସଲ୍ୟୁଶନ ବ୍ୟାନରରେ ଏହାର ପ୍ରଯୋଜନା କରିଛନ୍ତି ନବାଗତା ଜୟଲକ୍ଷ୍ମୀ ମିଶ୍ର। ନିର୍ଦ୍ଦେଶନା ଦାୟିତ୍ୱ କୁନାଲ ପଟ୍ଟନାୟକ ତୁଲାଇଥିବା ବେଳେ ସଚି ମହାନ୍ତି ଏବଂ ସନ୍ତୋଷଙ୍କ ରଚିତ ଗୀତଗୁଡିକୁ ସ୍ବର ଦେଇଛନ୍ତି ଟୁନା ଭାଇ-ଉନା ଭାଇ। ଚିତ୍ରୋତ୍ତୋଳନ କରିଛନ୍ତି ରଞ୍ଜନ ମିଶ୍ର। ନିକଟରେ ଶୁଟିଂ ଶେଷ ହୋଇଥିବା ଏହି ଫିଲ୍ମରେ ସାସାଙ୍କ ଭୂମିକାଟି ହେଲା ଗ୍ଲୋରି। ଏଥିରେ ତାଙ୍କର ନାୟକ ସାଜିଛନ୍ତି ରାଜ୍‌। ସାସା-ରାଜ୍‌ ଯୋଡ଼ି ବ୍ୟତୀତ ପଲ୍ଲବୀ, ଜୀବନ ପଣ୍ଡା, ଜୟଲକ୍ଷ୍ମୀ, ପ୍ରୀତିରାଜ, କୁନାଲ, ଟୁଲୁ, ଶମ୍ଭୁ, ରାମବାବୁ ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି। ଖାସ୍‌ କଥା ହେଲା, ଶୁଟିଂ ସମୟରେ ସାସା ଓଡ଼ିଆ ଭାଷା କେତେକାଂଶରେ ଶିଖିଯାଇଛନ୍ତି। ବିଦେଶୀ ଲଳନା ଓଡ଼ିଆ ସିନେମାରେ ଅଭିନୟ କରିବା ନୂଆ କଥା ନୁହେଁ। ଏହାପୂର୍ବରୁ ପରଦେଶୀ ଚଢ଼େଇରେ ଉତ୍ତମ ମହାନ୍ତିଙ୍କ ସହ ଅରମିଣ୍ଟାଙ୍କୁ ନାୟିକା ଭାବେ ଦେଖିବାକୁ ମିଳିଥିଲା। ଏହା ବ୍ୟତୀତ ଚିତ୍ତରଞ୍ଜନ ତ୍ରିପାଠୀଙ୍କ ନିର୍ଦ୍ଦେଶିତ ‘ମୁଖ୍ୟମନ୍ତ୍ରୀ’ରେ ବିଦେଶୀ ନାୟିକା ସବ୍ରିନା ଜେନିଫର ଅଭିନୟ କରିଥିଲେ। ତେବେ ‘ବାୟ ବାୟ ଦିଲ୍‌’ରେ ସାସା ଦର୍ଶକଙ୍କୁ କେତେ ପ୍ରଭାବିତ କରିପାରୁଛନ୍ତି ତାହା ଦେଖିବାକୁ ବାକି ରହିଲା।

Share