ବାହାର ରାଜ୍ୟକୁ କାମ କରିବାକୁ ଯାଇ ଗାଁକୁ ଫେରିଲେ ୩୨୨ ଜଣ: ୧୪ ଦିନ ଆଇସୋଲେଶନରେ ରହିବାକୁ ନିର୍ଦ୍ଦେଶ

ପାଟଣା,୨୭।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକର ୩୨୨ ଜଣ ଗୁରୁବାର ସନ୍ଧ୍ୟାରେ ଗାଁକୁ ଫେରିଛନ୍ତି। ସେମାନେ ପଡ଼ୋଶୀ ରାଜ୍ୟ ବାଙ୍ଗାଲୋର ଓ ଚେନ୍ନାଇରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ବ୍ଲକ ପ୍ରଶାସନ ପକ୍ଷରୁ ସେମାନଙ୍କୁ ୧୪ ଦିନ ନିଜ ନିଜ ଘରେ ଆଇସୋଲେଶନରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯିବା ସହ ବ୍ୟବସ୍ଥା କରାଯାଇଛି। ଏ ନେଇ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସୁପରିଣ୍ଟେଣ୍ଡେଣ୍ଟ ଡ. ସୁପ୍ରକାଶ ଶତପଥୀ କହିଛନ୍ତି। ପାଟଣା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ପାଟଣା ବିଡିଓ ଈଶ୍ୱର ଚନ୍ଦ୍ର ନାଏକଙ୍କ ଅଧ୍ୟକ୍ଷତାରେ ଗୁରୁବାର ଏକ ଟାସ୍କଫୋର୍ସ କମିଟିର ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ କରୋନା ଭୂତାଣୁ ସଂକ୍ରମଣ ରୋକାଯିବାକୁ ଆଲୋଚନା ହୋଇଥିଲା। ଡିପିସି ପୂର୍ଣ୍ଣଚନ୍ଦ୍ର ସେଠୀ, ତହସିଲଦାର ଶିବପ୍ରସଦ ମୁର୍ମୁ, ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡ.ସୁପ୍ରକାଶ ଶତପଥୀ, ବିପି ଏମ୍‌ ଦୀପକ କୁମାର ନାୟକ ସିଆରସିସିି ପ୍ରମୋଦ କୁମାର ମହାନ୍ତ ଓ ଶ୍ରୀକାନ୍ତ ବିଶ୍ୱାଳ ପ୍ରମୁଖ ଯୋଗଦେଇ ପାଟଣା ବ୍ଲକରେ ଆଇସୋଲେଶନ କକ୍ଷ, ଲକ୍‌ଡାଉନ ସ୍ଥିତି, ଅତ୍ୟାବଶ୍ୟକ ସାମଗ୍ରୀର ମହଜୁଦ ଓ ସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା। ଅତ୍ୟାବଶ୍ୟକ ଖାଉଟି ସାମଗ୍ରୀ ଯେଭଳି କଳାବଜାର ନ ହୁଏ ସେ ନେଇ ଆଲୋଚନା ହୋଇଥିଲା।