Categories: ଖେଳ

ବାସନ୍ଦ ହେଲେ ଉମର ଆକମଲ

କରାଚୀ,୨୦।୨- ପାକିସ୍ତାନ ଦଳରୁ ବାଦ୍‌ ପଡ଼ିଥିବା ଉମର ଆକମଲଙ୍କ କ୍ୟାରିୟରକୁ ଗୁରୁବାର ଶକ୍ତ ଝଟ୍‌କା ଲାଗିଛି। ଏହି ବ୍ୟାଟ୍ସମ୍ୟାନଙ୍କୁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ବାସନ୍ଦ କରିଛି। ଭ୍ରଷ୍ଟାଚାର ବିରୋଧୀ ଯାଞ୍ଚ ପରେ ତାଙ୍କୁ ଏଭଳି ଅବସ୍ଥା ଭୋଗିବାକୁ ପଡ଼ିଛି। କିନ୍ତୁ ପିସିବି ପକ୍ଷରୁ ଜୁନିୟର ଆକମଲ କେଉଁଭଳି ନିୟମ ଭଙ୍ଗ କରିଥିଲେ, ତାହା ସ୍ପଷ୍ଟ କରାଯାଇନାହିଁ। ପିସିବି ଆକମଲଙ୍କୁ ତୁରନ୍ତ ବାସନ୍ଦ କରିଛି। ସେ କ୍ରିକେଟ ଜଡ଼ିତ କୌଣସି ଇଭେଣ୍ଟ କିମ୍ବା କାର୍ଯ୍ୟ କରିପାରିବେ ନାହିଁ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ତଦନ୍ତ ଜାରି ରହିଥିବାରୁ, ପିସିବି ପକ୍ଷରୁ ଅଧିକ ତଥ୍ୟ ଦିଆଯାଇ ନାହିଁ। ଉମରଙ୍କ ପିଏସ୍‌ଏଲ ଦଳ କୁଏଟା ଗ୍ଲାଡିଏଟର୍ସର ଉଦ୍‌ଘାଟନୀ ମ୍ୟାଚ୍‌ର କିଛି ଘଣ୍ଟା ପୂର୍ବରୁ ପିସିବି ଏଭଳି ଘୋଷଣା କରିଛି। ଗ୍ଲାଡିଏଟର୍ସ ଦଳକୁ ଉମରଙ୍କ ବଦଳ ଖେଳାଳି ଲାଗି ଆବେଦନ କରିବାକୁ ଅନୁମତି ଦିଆଯାଇଛି। ପାକିସ୍ତାନ ଉଇକେଟକିପର ବ୍ୟାଟ୍ସମ୍ୟାନ କମରାନ ଆକମଲଙ୍କ ସାନ ଭାଇ ଅନ୍ତର୍ଜାତୀୟ ସ୍ତରରେ ପାକିସ୍ତାନ ଲାଗି ୧୬ ଟେଷ୍ଟ, ୧୨୧ ଦିନିକିଆ ଓ ୮୪ ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ସେ ଯଥାକ୍ରମେ ୧୦୦୩, ୩୧୯୪ ଓ ୧୬୯୦ ରନ୍‌ କରିଛନ୍ତି। ସେ ନ୍ୟୁଜିଲାଣ୍ଡ ବିପକ୍ଷ ପଦାର୍ପଣ ଟେଷ୍ଟରେ ଶତକ ହାସଲ କରି ଚର୍ଚ୍ଚାକୁ ଆସିଥିଲେ। କ୍ୟାରିୟରର ଆରମ୍ଭରେ ସେ ବହୁ ସଫଳତା ପାଇଥିଲେ। କିନ୍ତୁ ଧୀରେ ଧୀରେ କ୍ରମାଗତ ପ୍ରଦର୍ଶନ କରିବାରେ ବିଫଳ ହେଲେ ଓ ଏଥିଯୋଗୁ ଜାତୀୟ ଦଳରୁ ତାଙ୍କୁ ସ୍ଥାନ ହରାଇବାକୁ ପଡ଼ିଥିଲା। ନିକଟରେ ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ)ରେ ଟ୍ରେନରଙ୍କ ସହ ଖରାପ ବ୍ୟବହାର କରିବା ଲାଗି ବାସନ୍ଦାଦେଶରୁ ବର୍ତ୍ତି ଯାଇଥିଲେ।

Share