Categories: କନ୍ଧମାଳ

ବାଲନ୍ଦାପଡ଼ା, ଗୋଚ୍ଛାପଡା ପିଏଚ୍‌ସିରେ ଡାକ୍ତର ନାହାନ୍ତି

ଫିରିଙ୍ଗିଆ, ୨୩ା୨- ଫିରିଙ୍ଗିଆ ବ୍ଲକ ଗୋଚ୍ଛାପଡା ଥାନା ଅଧିନରେ ଥିବା ବାଲନ୍ଦାପଡା ଏବଂ ଗୋଚ୍ଛାପଡା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର (ପିଏଚ୍‌ସି)ରେ ବହୁ ଦିନ ହେଲା ଡାକ୍ତର ନାହାନ୍ତି। ଫଳରେ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଥିବା ଦୁର୍ଗମ ଅଞ୍ଚଳବାସୀ ସ୍ବାସ୍ଥ୍ୟସେବାରୁ ବଞ୍ଚତ୍ତ ହେଉଛନ୍ତି। ସ୍ବାସ୍ଥ୍ୟ ଶିବିର ଏବେ ସେମାନଙ୍କ ପାଇଁ ଏକମାତ୍ର ସାହରା ପାଲଟିଛି। ସାମାନ୍ୟ ଜ୍ୱର ଥଣ୍ଡା ହେଲେ ଫିରିଙ୍ଗିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଖର୍ଚ୍ଚାନ୍ତ ହୋଇ ଯାଇଥାନ୍ତି।

ବାଲନ୍ଦାପଡା ସ୍ବାସ୍ଥ୍ୟକେନ୍ଦ୍ର ଉପରେ ବାଲନ୍ଦାପଡା, ପାହିରାଜୁ, କୋଏରମାଣ୍ଡୁ, ଲୁଇସିଂ, ପକାରୀ ପଞ୍ଚାୟତର ଲୋକେ ନିର୍ଭର କରୁଥିବାବେଳେ ଗୋଚ୍ଛାପଡା ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଗୋଚ୍ଛାପଡା, ସଲାଗୁଡା, କ୍ରାଣ୍ଡିବାଲି, ପଲାବୃଡି ଏବଂ କଟ୍ରିଙ୍ଗିଆ ପଞ୍ଚାୟତରର କେତେଗ ଗ୍ରାମବାସୀ ନିର୍ଭର କରିଥାନ୍ତି। ବାଲନ୍ଦାପଡାରେ ନିଯୁକ୍ତି ପାଇଥିବା ଡାକ୍ତର ୫ମାସ ହେଲା ଟ୍ରେନିଂରେ ଯାଇ ଆଉ ଫେରି ନାହାନ୍ତି। ଫାର୍ମାସିଷ୍ଟ ସୁଶାନ୍ତ ଶବର ଏହି ମେଡିକାଲ ଚଳାଉଛନ୍ତି। ଗୋଚ୍ଛାପଡା ମେଡିକାଲର ଡାକ୍ତର ପ୍ରିୟ ରଞ୍ଜନ ସାହୁ ଗତ ୧୭ରୁ ଟ୍ରେନିଂରେ ଯାଇଛନ୍ତି। ଫାର୍ମାସିଷ୍ଟ ପ୍ରଶାନ୍ତ କୁମାର ସାହୁଙ୍କ ଭରଷାରେ ଏବେ ରୋଗୀସେବା।
ଆମେ ବାରମ୍ବାର ଏ ସମ୍ପର୍କରେ ଅଭିଯୋଗ କରିଛୁ। ବ୍ଲକ ମିଟିଂରେ ଦାବି ଉପସ୍ଥାପନ କରୁଛୁ, ହେଲେ କିଛି ସୁଫଳ ମିଳୁନାହିଁ। ଆମର ଅଧିକାଂଶ ଗ୍ରାମ ଦୁର୍ଗମ ଅଞ୍ଚଳରେ। ତେଣୁ ତୁରନ୍ତ ଡାକ୍ତର ନିଯୁକ୍ତି କରିବାକୁ ଗୋଚ୍ଛାପଡା ସରପଞ୍ଚ ସୁମିତ୍ରା କହଁର ପ୍ରକାଶ କରିଛନ୍ତି। ବ୍ଲକ ଉପାଧ୍ୟକ୍ଷ ତଥା ବାଲନ୍ଦାପଡା ସମିତିସଭ୍ୟ ସସ୍ମିତା ଦିଗାଲ କୁହନ୍ତି, ଇଂରେଜ ଅମଳରେ ବାଲନ୍ଦାପଡା ମେଡିକାଲ ହୋଇଥିଲା। ଏହା ଜିଲାର ସର୍ବପୁରାତନ ମେଡିକାଲ। ତଥାପି ଏଠାରେ ଡାକ୍ତର ନିଯୁକ୍ତି ନ ଦେବା ଦୁଃଖର ବିଷୟ। ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଏବଂ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ରାଜଶ୍ରୀ ପଟ୍ଟନାୟକଙ୍କୁ ପଚାରିବାରୁ ଗୋଚ୍ଛାପଡା ମେଡିକାଲରେ ୨ଦିନ ମଧ୍ୟରେ ଜଣେ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବ। ସେ ସପ୍ତାହକୁ ଦୁଇ ତିନି ଦିନ ବାଲନ୍ଦାପଡା ଯାଇ ମଧ୍ୟ କାମ କରିବେ। ଆଉ ଡାକ୍ତର ଆମ ଜିଲାକୁ ଆସିଲେ ସେଠାରେ ନିଯୁକ୍ତି ଦିଆଯିବ ବୋଲି କହିଛନ୍ତି।