ବାରିପଦା ହାଟରୁ ସାମୁଦ୍ରିକ ଜୀବ ଉଦ୍ଧାର, ଜଣେ ଗିରଫ

ବାରିପଦା ଅଫିସ,୨ା୧- ମୟୂରଭଞ୍ଜ ଜିଲା ବାରିପଦା ଷ୍ଟେସନ ବଜାର ସ୍ଥିତ ସାପ୍ତାହିକ ହାଟରୁ ଗୁରୁବାର ବନ ବିଭାଗ ପକ୍ଷରୁ ୧୪ଟି ସାମୁଦ୍ରିକ କଙ୍କଡା ପ୍ରଜାତିର ଜୀବ ଉଦ୍ଧାର ହୋଇଛି। ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ବିଭାଗ ଗିରଫ କରିଛି।
ସୂଚନା ଅନୁଯାୟୀ, ଷ୍ଟେସନ ବଜାର ସାପ୍ତାହିକ ହାଟରେ ସୁନିଲ ବିଶ୍ୱାସ ନାମକ ଜଣେ ଯୁବକ ସାମୁଦ୍ରିକ ଜୀବ ବିକ୍ରୟ କରୁଥିବା ପୂର୍ବତନ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଭାନୁମିତ୍ର ଆଚାର୍ଯ୍ୟଙ୍କ ନିକଟରେ କୌଣସି ସୁତ୍ରରୁ ଖବର ପହଞ୍ଚିଥିଲା। ସେ ତୁରନ୍ତ ବନ ବିଭାଗକୁ ଖବର ଦେଇଥିଲେ। ପରେ ଆଚାର୍ଯ୍ୟଙ୍କ ନେତୃତ୍ୱରେ ରେଞ୍ଜର ଲକ୍ଷ୍ମୀଧର ବେହେରା, ଫରେଷ୍ଟର ଏସଏନ ପାଲ, ରବୀନ୍ଦ୍ର କୁମାର ପୁହାଣ ଏବଂ ଫରେଷ୍ଟ ଗାର୍ଡ ଅନିଲ କୁମାର ମହାନ୍ତ ଓ କୃଷ୍ଣ ଚନ୍ଦ୍ର ଦେଙ୍କୁ ନେଇ ଏକ ଟିମ୍‌ ଗଠନ ହୋଇ ହାଟରେ ଚଢ଼ାଉ କରାଯାଇଥିଲା। ସେଠାରୁ ମୋଟ ୧୪ଟି ସାମଦ୍ରିକ ଜୀବ ଉଦ୍ଧାର ହୋଇଥିଲା। ସେଥିରୁ ୨ଟିର ମୃତ୍ୟୁ ଘଟିଥିବା ବେଳେ ୧୨ଟି ଜୀବିତ ଅଛନ୍ତି। ବନଖଣ୍ଡ ଅଧିକାରୀଙ୍କ ପରାମର୍ଶ ପରେ ଏହି ଜୀବକୁ ସୁରକ୍ଷିତ ଭାବେ ସମୂଦ୍ରରେ ଛାଡି ଦିଆଯିବ ବୋଲି ଜଣାପଡ଼ିଛି। ଗିରଫ ହୋଇଥିବା ସୁନିଲ ପଶ୍ଚିମବଙ୍ଗ ରାଜ୍ୟ ବର୍ଦ୍ଧମାନ ଅଞ୍ଚଳର ବୋଲି ଜଣାପଡିଛି। ତେବେ ଏହି ସାମୁଦ୍ରିକ ଜୀବ କେଉଁଠାରୁ ଏଠାକୁ ଆସିଛି ସେ ନେଇ ଅଧିକ ତଦନ୍ତ କରାଯାଉଥିବା ରେଞ୍ଜର ବେହେରା କହିଛନ୍ତି।