ବାପି ଯାହା ଚାହୁଁଥିଲେ..

ବେଳେବେଳେ ମଣିଷ ଯାହା ଚାହେଁ ତାହା ତାଙ୍କୁ ହାତ ପାଆନ୍ତାରେ ମିଳିଯାଏ। ଠିକ୍‌ ସେମିତି ଜଲିଉଡ୍‌ରେ ଏଣ୍ଟ୍ରି କରିବା ସମୟରେ ଯାତ୍ରା ଜଗତର ଅନ୍ୟତମ ଆଗଧାଡିର ଅଭିନେତା ତଥା ଆକ୍ସନ ମାଷ୍ଟର ବାପି ପଣ୍ଡାଙ୍କ ଆଖିରେ ଆଖିଏ ସ୍ବପ୍ନ। ହେଲେ ନିଜର ଅଭିନ ଦକ୍ଷତା ତାଙ୍କୁ ଦେଇଥିଲା ନିଆରା ପରିଚୟ। ବର୍ଷ କେଇଟାରେ ସେ ଅପେରା ପ୍ରେମୀଙ୍କ ହୃଦୟରେ ହାସଲ କରିଥିଲେ ସ୍ବତନ୍ତ୍ର ସ୍ଥାନ। ନିଜର ସଫଳତାକୁ ନେଇ ସେ କହନ୍ତି, ଏସବୁ ମୂଳରେ ଦର୍ଶକଙ୍କୁ ସବୁ ଶ୍ରେୟ ଦେବି। ସେମାନେ ନ ଥିଲେ ଆଜି ମୁଁ ଅପେରା ଜଗତରେ ନ ଥାନ୍ତି। ଯେ କୌଣସି ନାଟକ ହେଉ ଅବା ଭୂମିକା ତାକୁ କିପରି ସଠିକ୍‌ ଭାବରେ ତୁଲାଇବି ସେ ନେଇ ବେଶ୍‌ ପୂର୍ବରୁ ନିଜକୁ ପ୍ରସ୍ତୁତ କରିନିଏ। ଦର୍ଶଙକ ପାଇଁ ବାପି ପଣ୍ଡା। ସେମାନେ ମୋତେ ଯେଉଁ ସ୍ନେହ ଶ୍ରଦ୍ଧା ଦେଇଛନ୍ତି ତାହା ମୁଁ କଦାପି ସୁଝି ପାରିବି ନାହିଁ।’ ବାପିଙ୍କ ଅଭିନୟ ଜୀବନରେ ଅନେକ ସୁଖଦ ହେଉ କି ଦୁଃଖଦ ଘଟଣା ଘଟିଯାଇଛି। ସେଗୁଡିକ ମଧ୍ୟରୁ ତାଙ୍କର ଗୋଟିଏ ରୋମାଞ୍ଚକର କଥା ଏବେ ବି ମନେ ପଡିଥାଏ। ସେ ବିଷୟରେ ବାପି କହନ୍ତି, ଗୌରୀ ଗଣନାଟ୍ୟ ପରିବେଷିତ ସୁପରହିଟ୍‌ ନାଟକ ‘ଅର୍ଦ୍ଧାଙ୍ଗିନୀ’ର ଇନ୍ସପେକ୍ଟର ସିଦ୍ଧାର୍ଥ ଚରିତ୍ରରେ ମୁଁ ଅଭିନୟ କରିଥିଲି। ଏହି ନାଟକର ଟାଇଟଲ ପଛରେ ଲୁଚି ରହିଛି ଏକ ମଜାଦାର କଥା। ଗୋଟିଏ କଥା-ଏହା ହେଉଛି ମୋ କ୍ୟାରିୟରର ଅନ୍ୟତମ ସ୍ମରଣୀୟ ନାଟକ। ନାଟକର କାହାଣୀ ରଚନା ସମୟର କଥା। ସେଥିରେ ବ୍ୟସ୍ତ ଥାଆନ୍ତି ଆଶୁତୋଷ ସାର୍‌ (ଇଂ ଆଶୁତୋଷ ମହାପାତ୍ର) ।
ତା’ ସହ ଏହାର ଟାଇଟଲ କ’ଣ ଦିଆଗଲେ ତାହା ଦର୍ଶକଙ୍କୁ ଇମ୍ପ୍ରେଶ କରିବ ସେ ତାକୁ ନେଇ ବିଚାରବିମର୍ଶ ଚାଲିଥାଏ। ସେତିକିବେଳେ ମୋ ମୋବାଇଲକୁ ଘରୁ ଫୋନ୍‌ ଆସିଲା। ଧର୍ମପତ୍ନୀଙ୍କ ନାମକୁ ମୁଁ ‘ମୋ ଅର୍ଦ୍ଧାଙ୍ଗିନୀ’ ବୋଲି ସେଭ୍‌ କରିଥାଏ। ବାସ୍‌, ସତେଯେମିତି ଆମକୁ ଖୋଜିଲା ଚିଜ ମିଳିଗଲା। ନାଟକଟିର ଟାଇଟଲ ‘ଅର୍ଦ୍ଧାଙ୍ଗିନୀ’ ରହିଲେ କେମିତି ହେବ ବୋଲି ମୁଁ କହିବା ପରେ ତାହାକୁ ନାଟ୍ୟକାର ତଥା ନିର୍ଦ୍ଦେଶକ ଆଶୁତୋଷ ସାର୍‌ ଗ୍ରହଣ କରିଥିଲେ। ଏବେ ବି ନାଟକଟିର ପ୍ରତିଟି ସିକୁଏନ୍ସ ଏବେ ବି ମୋ ଆଖି ସାମ୍‌ନାରେ ଭାସିଯାଉଛି। ଏହି ନାଟକରେ ମୋ ବ୍ୟତୀତ ସୁବାସ ବେହେରା, ଟୁନି ପ୍ରମୁଖ କଳାକାରଙ୍କୁ ଗୁରୁତ୍ୱପୂର୍ଣ ଭୂମିକାରେ ଦେଖିବାକୁ ମିଳିଥିଲା।

Share