Categories: ଫୁରସତ

‘ବାପା ଜଲ୍‌ଦି ଫେରିଆସନ୍ତୁ’

ଥିରୁଭାନନ୍ତପୁରମ୍‌: ‘ଆମେ ତାଙ୍କୁ ବହୁତ ମନେପକାଉଛୁ। ଆମେ ଚାହୁଁଛୁ, ସେ ଆମମାନଙ୍କ ପାଖକୁ ଜଲ୍‌ଦି ଫେରିଆସନ୍ତୁ’। କିଛି ଏମିତି କହି ଆଫଗାନିସ୍ତାନରେ ଫସିଥିବା ବାପାଙ୍କୁ ଫେରାଇ ଆଣିବାକୁ ତାଙ୍କ କୁନି ଝିଅ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ଆଫଗାନିସ୍ତାନର ଗୁଲାବମିର ରେହମାନି କେରଳ ୟୁନିଭର୍ସିଟିରେ ସୋସିଓଲୋଜି ବିଭାଗରେ ରିସର୍ଚ୍ଚ ଷ୍ଟାଫ୍‌ ଭାବେ କାର୍ଯ୍ୟ କରନ୍ତି । ଗବେଷଣା ସମ୍ବନ୍ଧୀୟ ତଥ୍ୟ ଯୋଗାଡ଼ ଏବଂ ଭିଜା ରିନୁଆଲ୍‌ କରିବା ସକାଶେ ଗୁଲାବମିର ୨୦୨୦ରେ ଆଫଗାନିସ୍ତାନ ଯାଇଥିଲେ। କିନ୍ତୁ ୨ ବର୍ଷରୁ ଅଧିକ ସମୟ ବିତି ଯାଇଥିବାବେଳେ ଭିଜା ନ ମିଳିବାରୁ ସେ କେରଳରେ ଥିବା ତାଙ୍କ ପରିବାର ନିକଟକୁ ଫେରିପାରୁ ନାହାନ୍ତି। ଭିଜା ନିୟମରେ ଭାରତ ପକ୍ଷରୁ କରାଯାଇଥିବା ବିଶେଷ ପ୍ରକାର ପରିବର୍ତ୍ତନ ପାଇଁ ଗୁଲାବମିରଙ୍କୁ ଭିଜା ମିଳିପାରୁ ନାହିଁ। ସେ ଇରାନ୍‌ ହୋଇ ଭାରତ ଆସିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ଗୁଲାବମିର ସେଥିରେ ବିଫଳ ହୋଇଥିବା କହିଛନ୍ତି।
ସ୍ତ୍ରୀ ଜାମଜମା କେରଳ ୟୁନିଭର୍ସିଟିରେ ପଦାର୍ଥ ବିଜ୍ଞାନରେ ପିଏଚ୍‌ଡି କରୁଥିବାବେଳେ ତିନି ପିଲାଙ୍କ ସହ ସେ କେରଳରେ ରହୁଛନ୍ତି। ଇଣ୍ଟରନେଟ୍‌ରେ ତ୍ରୁଟି କାରଣରୁ ଜାମଜମା ଓ ପିଲାମାନେ ଗୁଲାବମିରଙ୍କ ସହ କଥା ହେବାରୁ ବଞ୍ଚିତ ହେଉଛନ୍ତି। ଏ ନେଇ ରାଜ୍ୟ ସରକାର ଓ କେନ୍ଦ୍ରର ମିଳିତ ସହଯୋଗରେ ଗୁଲାବମିରଙ୍କୁ ଭିଜା ମିଳିପାରିବ ଏବଂ ସେ ପରିବାର ପାଖକୁ ଫେରିଆସିପାରିବେ ବୋଲି ଘର ଲୋକ ଆଶ ରଖିଛନ୍ତି। ପୂର୍ବରୁ ଏ ନେଇ ଜାମଜମା କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟାନଙ୍କୁ ଭେଟିଥିଲେ ସୁଦ୍ଧା ତାଙ୍କୁ କୌଣସି ପ୍ରକାର ସାହାଯ୍ୟ ମିଳି ନ ଥିବା ସେ କହିଛନ୍ତି।

Share