Categories: ଫୁରସତ

ବାତ୍ୟା ‘ଫନୀ’ ମୁକାବିଲା ପାଇଁ ଜାଣନ୍ତୁ କେମିତି ରହିବେ ସଜାଗ

ସାମୁଦ୍ରିକ ଝଡ଼ ‘ଫନୀ’ ୩ ତାରିଖରେ ଓଡ଼ିଶା ଉପକୂଳ ଛୁଇଁପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଏହି ସମୟରେ ଘଣ୍ଟା ପ୍ରତି ୧୭୫ରୁ ୧୮୦ କିଲୋମିଟର ବେଗରେ ପବନ ବହିବା ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ମଧ୍ୟ ହେବ । ଏହି ସମୟରେ ବିଭିନ୍ନ ବିପର୍ଯ୍ୟୟ ଘଟିପାରେ । ମୁଖ୍ୟତଃ ବଡ଼ବଡ଼ ଗଛ, ବିଜୁଳି ଖୁଣ୍ଟ ଉପୁଡ଼ି ପଡ଼ିବା ସହ ଦୁର୍ବଳ ଘରଦ୍ୱାର ଭାଙ୍ଗିଯିବାର ସମ୍ଭାବନା ରହିଛି। ପ୍ରବଳ ବର୍ଷା ହେଲେ ତଳି ଅଞ୍ଚଳରେ ବନ୍ୟା ପରିସ୍ଥିତି ମଧ୍ୟ ଉପୁଜିପାରେ। ଓଡ଼ିଶାବାସୀ ମହାବାତ୍ୟା, ଫାଇଲିନ, ହୁଡୁହୁଡୁ, ତିତ୍‌ଲି ଆଦି ନିକଟ ଅତୀତରେ ଦେଖିସାରିଛନ୍ତି। ତେଣୁ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ବ୍ୟକ୍ତିଗତସ୍ତରରେ କେତୋଟି ଦିଗ ପ୍ରତି ସଜାଗ ହେଲେ ଏତେବଡ଼ ବିପଦରୁ ରକ୍ଷା ମିଳିପାରିବ। ଆସନ୍ତୁ ଜାଣିବା ଏ ସମ୍ପର୍କରେ…

୧. ଅସୁରକ୍ଷିତ ଘରେ ରହୁଥିଲେ ସୁରକ୍ଷିତ ସ୍ଥାନ ବା ବାତ୍ୟା ଆଶ୍ରୟସ୍ଥଳୀକୁ ତୁରନ୍ତ ଚାଲିଯାଆନ୍ତୁ।

୨. ଜରୁରୀ କାମ ନ ଥିଲେ ଦୂରସ୍ଥାନକୁ ଯାଆନ୍ତୁ ନାହିଁ।

୩. ବିଦ୍ୟୁତକାଟ୍‌ର ସମ୍ଭାବନା ଯଥେଷ୍ଟ। ତେଣୁ ଘରେ ମହମବତୀ, କିରୋସିନ ମହଜୁଦ କରି ରଖନ୍ତୁ। ଚାର୍ଜର ଲାଇଟ ଏବଂ ମୋବାଇଲକୁ ମଧ୍ୟ ଫୁଲ ଚାର୍ଜ କରି ରଖନ୍ତୁ ।

୪. ଜରୁରୀ ଔଷଧ, ଶୁଖିଲା ଖାଦ୍ୟ ପାଖରେ ମହଜୁଦ ରଖନ୍ତୁ ।

୫. ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଉପଦେଶ ମାନନ୍ତୁ । ଜରୁରୀକାଳୀନ ଟେଲିଫୋନ ନମ୍ବର ପାଖରେ ରଖନ୍ତୁ । ନିୟମିତ ବାତ୍ୟା ସଂପର୍କିତ ଖବର ଜାଣିବା ପାଇଁ ଚେଷ୍ଟା କରନ୍ତୁ ।

୬. ଗୃହପାଳିତ ପଶୁମାନଙ୍କୁ ଗୁହାଳରେ ନ ବାନ୍ଧି ନିରାପଦ ସ୍ଥାନକୁ ସ୍ଥାନାନ୍ତର କରନ୍ତୁ ଓ ଦିନେ ଦୁଇ ଦିନ ପାଇଁ ସେମାନଙ୍କ ଲାଗି ଖାଦ୍ୟ ମହଜୁଦ ରଖନ୍ତୁ।

୭. ପ୍ରଚୁର ପରିମାଣର ବିଶୁଦ୍ଧ ପାନୀୟଜଳ ମଧ୍ୟ ଘରେ ମହଜୁଦ ରଖନ୍ତୁ।

୮. ଘରେ ପାଣି ପଶିବାର ସମ୍ଭାବନା ଥିଲେ ଜରୁରୀ କାଗଜପତ୍ର ଏବଂ ଟଙ୍କାପଇସା ଜରିରେ ଭର୍ତ୍ତି କରି ଉଚ୍ଚସ୍ଥାନରେ ରଖନ୍ତୁ। ଏଟିଏମରୁ କିଛି ନଗଦ ଟଙ୍କା ବାହାର କରି ନିଜ ପାଖରେ ରଖନ୍ତୁ ।

୯. ଗାଡିମୋଟର ଥିଲେ ସେଥିରେ ପେଟ୍ରୋଲ, ଡିଜେଲ ଭର୍ତ୍ତି କରି ରଖନ୍ତୁ । ଆବଶ୍ୟକତା ଦୃଷ୍ଟିରୁ ଯାତାୟାତ କରୁଥିବା ବେଳେ ଜୋରରେ ପବନ ବହିଲେ ଗଛ ବା ଖୁଣ୍ଟଠାରୁ ଦୂରରେ ରୁହନ୍ତୁ।

୧୦. ଗୁଜବଠାରୁ ଦୂରେଇ ରୁହନ୍ତୁ। କୌଣସି କଥାରେ ଭୟଭୀତ ନହୋଇ ଧର୍ଯ୍ୟର ସହ ମୁକାବିଲା କରନ୍ତୁ ।

Share