ବାତ୍ୟା ‘ଅମ୍ପନ୍‌’ ପ୍ରଭାବରେ କେନ୍ଦ୍ରାପଡ଼ାବାସୀ ଆତଙ୍କିତ: ୧୨୦ କିମି ବେଗରେ ବହୁଛି ପବନ, ୮ ହଜାର ଲୋକ ସ୍ଥାନାନ୍ତର

କେନ୍ଦ୍ରାପଡା ଅଫିସ, ୨୦ା୫: ସାମୁଦ୍ରିକ ଝଡ଼ ‘ଅମ୍ପନ’ କେନ୍ଦ୍ରାପଡ଼ା ଜିଲାରେ ବିଶେଷଭାବେ ପ୍ରଭାବ ପକାଇଛି। ମଙ୍ଗଳବାର ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ସାମାନ୍ୟ ବର୍ଷା, ପବନ ବୁଧବାର ସକାଳେ ଉଗ୍ରରୂପ ଧାରଣ କରିଛି। ଘଣ୍ଟାକୁ ୧୦୦ରୁ ୧୨୦ କିମି ବେଗରେ ପବନ ବହିବା ସହ ତୁହାକୁ ତୁହା ବର୍ଷା ହେଉଛି। ଫଳରେ ଜିଲାର ହାଇଆଲର୍ଟରେ ଥିବା ରାଜନଗର ଓ ମହାକାଳପଡ଼ା ବ୍ଲକ ଅଞ୍ଚଳରେ ବହୁ ଗଛ ଓ ବିଦ୍ୟୁତ୍‌ ଖୁଣ୍ଟ ଉପୁଡିପଡ଼ିବା ସହ କଚାଘର ଭାଙ୍ଗିପଡ଼ିଛି। ଏହାର ପ୍ରଭାବରେ ଜିଲାବାସୀ ଆତଙ୍କିତ ହୋଇପଡିଛନ୍ତି। ଏହାର ପ୍ରଭାବରେ ଜିଲାରେ ଅଦ୍ୟାବଧି ୧୭୮ ମିଲିମିଟର ବର୍ଷା ହୋଇଛି। ଆଗାମୀ ୮ ଘଣ୍ଟା ଏହାର ପ୍ରଭାବ ରହିବ ବୋଲି ଜିଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି।ସେ କହିଛନ୍ତି ଯେ, ପବନର ବେଗ ଘଣ୍ଟାପ୍ରତି ସର୍ବାଧିକ ୧୩୫ କିମି ରହିବ ବୋଲି ଆକଳନ କରାଯାଇଛି। ଏହି ସମୟରେ ଘରୁ ବାହାରକୁ ନ ବାହାରିବା ପାଇଁ ସେ ପରାମର୍ଶ ଦେଇଛନ୍ତି।
ଏଥିସହି ଜିଲାପାଳ ସୂଚନା ଦେଇଛନ୍ତି ଯେ, ମଙ୍ଗଳବାର ମଧ୍ୟରାତ୍ରୀ ସୁଦ୍ଧା ଜିଲାର ସମୁଦ୍ର ତଟାଞ୍ଚଳ ୩୨୦୬୦ ଅଧିବାସୀଙ୍କୁ ଚିହ୍ନଟ ୮୨ଟି ବାତ୍ୟା ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର କରାଯାଇଥିଲା। ବୁଧବାର ମଧ୍ୟାହ୍ନ ସୁଦ୍ଧା ପ୍ରାୟ ୮ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ପବନର ବେଗ କମିବା ପରେ ସଜାଗ ହୋଇ ରହିଥିବା ଏନ୍‌ଡିଆର୍‌ଏଫ, ଓଡ୍ରାଫ, ଅଗ୍ନିଶମ ବାହିନୀ ଯାତାୟତ ପଥକୁ ସୁଗମ କରିବେ। ଏଥିସହିତ ବିଭାଗୀୟ ଅଧିକାରୀମାନେ ଲୋକଙ୍କ ନିକଟରେ ପହଞ୍ଚି ମୌଳିକ ସୁବିଧା ଯୋଗାଇ ଦେବେ। ପ୍ରତ୍ୟେକ ଆଶୟସ୍ଥଳରେ ଶୁଖିଲା ଖାଦ୍ୟ, ପାନୀୟ ଜଳ ଓ ଆପାତକାଳୀନ ଔଷଧ ମହଜୁଦ ରଖାଯାଇଥିବା ଜିଲାପାଳ ବର୍ମା ସୂଚନା ଦେଇଛନ୍ତି।