ବାଜବାଟି ଖାଦାନ: ୫ ସଇରାତ ପାଇଁ ଗୋଟିଏ ରାସ୍ତା କଲା ତହସିଲ

ଧର୍ମଶାଳା,୨୯ା୧୧(ଡି.ଏନ୍‌.ଏ.): ଧର୍ମଶାଳା ତହସିଲ ଅନ୍ତର୍ଗତ ବାଜବାଟି କଳାପଥର ଖାଦାନରେ ଥିବା ୫ଟି ସଇରାତକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ଗୁରୁବାର ତହସିଲ ପକ୍ଷରୁ ଖୋଳାଯାଇ ଗୋଟିଏ ରାସ୍ତା କରାଯାଇଛି। ବାଜବାଟି କଳାପଥର ଖାଦାନରେ ୧ନଂ ଖାଦାନର ୫ ଏକର ଓ ୩ନଂ ଖାଦାନର ୩ ଏକର ସଇରାତ ଶ୍ରୀନିବାସ ଜେନା ଲିଜ୍‌ରେ ନେଇଛନ୍ତି। ସେହିପରି ୨ନଂ ଖାଦାନର ୭.୨୦ ଏକରକୁ ବିଶ୍ୱରଞ୍ଜନ ପରିଡା ଏବଂ ୫ନଂ ଖାଦାନର ୯ ଏକର ସଇରାତକୁ ସୁଧାଂଶୁ ଜେନା ଲିଜ ନେଇଛନ୍ତି। ଏହି ଖାଦାନଗୁଡିକରୁ ବେଆଇନଭାବେ ରାତିରେ ଖନନ କରାଯାଇ ଚୋରାରେ କଳାପଥର ପରିବହନ କରାଯାଉଥିବା ଲିଜ୍‌ଧାରୀମାନେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଭିତ୍ତି କରି ତହସିଲଦାର ସରୋଜ କୁମାର ପଣ୍ଡା, ଅତିରିକ୍ତ ତହସିଲଦାର ଦେବୀପ୍ରସନ୍ନ ମହାନ୍ତି, ନାକପୋଲ ଏଆରଆଇ ଚନ୍ଦନ ସାହୁ ପ୍ରମୁଖ ଏକ ଜେସିବି ସହାୟତାରେ ବାଜବାଟି ପାହାଡର ଚର୍ତୁଃପାର୍ଶ୍ୱକୁ ସଂଯୋଗ କରୁଥିବା ରାସ୍ତାଗୁଡିକୁ ଖୋଳି ଦିଆଯାଇ ଗୋଟିଏ ରାସ୍ତା ରଖାଯାଇଛି ା ଯେପରି ବେଆଇନ ଖନନ ହୋଇ ପରିବହନ ହୋଇ ନପାରିବ ସେଥିପ୍ରତି ଇଜରାଦାରମାନେ ସ୍ବତନ୍ତ୍ର ଦୃଷ୍ଟିଦେବାକୁ ତହସିଲଦାର ପଣ୍ଡା ସୂଚନା ଦେଇଛନ୍ତି।