ଭୋପାଳ,୧୮।୨: କିଛିଦିନ ତଳେ ଛତିଶଗଡ଼ ରାୟପୁରରେ ଥିବା ନନ୍ଦନବନ ଜଙ୍ଗଲ ସଫାରୀରେ ଏକ ବାଘ ପର୍ଯ୍ୟଟକଙ୍କ ବସର ପିଛା କରିଥିଲା। ଏହାକୁ ନେଇ ବେଶ୍ ଚର୍ଚ୍ଚା ଲାଗିଥିଲା। ଏହାପରେ ବନବିଭାଗ ପକ୍ଷରୁ ଟୁରିଷ୍ଟ ବସର ଡ୍ରାଇଭର ଓମ୍ ପ୍ରକାଶ ଏବଂ ଗାଇଡ୍ ନବୀନ ପୁରାନିଆଙ୍କୁ ନିଲମ୍ବିତ କରିଥିଲେ। ଦୁଇଟି ବାଘ ମଧ୍ୟରେ ଲଢ଼େଇ ଜାରି ରହିଥିବାବେଳେ ପର୍ଯ୍ୟଟକଙ୍କ ବସ ଆସିଯିବାରୁ ଗୋଟିଏ ବାଘ ଝରକା ପର୍ଯ୍ୟନ୍ତ ଚାଲି ଆସିଥିଲା ବୋଲି ନନ୍ଦବନ ଜଙ୍ଗଲ ସଫାରୀ ନିର୍ଦ୍ଦେଶକ ମର୍ସି ବେଲେ ସୂଚନା ଦେଇଛନ୍ତି। ତେବେ ଗାଇଡ୍ ଏହାର ଶୁଟିଂ କରୁଥିବାରୁ ଅଭିଯୋଗ ମିଳିବା ପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏବେ ମଧ୍ୟପ୍ରଦେଶର କାହ୍ନା ବାଘ ଅଭୟାରଣ୍ୟରେ ଏଭଳି ଘଟଣା ଘଟିଛି। ଏକ ମହାବଳ ବାଘ ଜଣେ ଟୁରିଷ୍ଟ ବସରେ ଥିବା ଜଣେ ପର୍ଯ୍ୟଟକଙ୍କ ଲୁଗା ଟାଣୁଥିବାର ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହା କାହ୍ନାର ସ୍ରାବଣ ତଳି ଅଞ୍ଚଳରେ ଘଟିଥିବା କୁହାଯାଉଛି। ମଧ୍ୟପ୍ରଦେଶ ବନ ବିଭାଗ ପକ୍ଷରୁ ଏନେଇ କୌଣସି ଉତ୍ତର ଦିଆଯାଇ ନାହିଁ। ଭିଡ଼ିଓର ଯାଞ୍ଚ୍ ପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବନ ବିଭାଗ କହିଛି।


