ବାଘ-ମଣିଷ ଲଢେଇ ରୋକିବ ସୁଗନ୍ଧିତ ଗଛ

ବାଘ-ମଣିଷ ଲଢେଇ ଅଭୟାରଣ୍ୟରେ କିଛିନୂଆ କଥା ନୁହେଁ। ଏମିତି ଲଢେଇ ଉତ୍ତରପ୍ରଦେଶର ପିଲିଭିଟ ବ୍ୟାଘ୍ର ଅଭୟାରଣ୍ୟର ସୀମାରେ ବେଶି ହେଉଛି। ସୀମାବର୍ତ୍ତୀ ଗାଁମାନଙ୍କରେ ଚାଷୀମାନେ ବେଶି ଆଖୁ ଚାଷ କରନ୍ତି ଓ ନୀଳଗାଇ,ହରିଣ ତାହାକୁ ଖାଇବା ପାଇଁ ଆସନ୍ତି। ବାଘ ସେହି ଜୀବଙ୍କୁ ଅନୁସରଣ କରି ଗାଁ ପାଖରେ ପହଞ୍ଚତ୍ ଲୋକଙ୍କୁ ଆକ୍ରମଣ କରେ। ବିଗତ ଏକ ବର୍ଷରେ ୯ ଜଣ କୃଷକ ବାଘ ଆକ୍ରମଣରେ ପ୍ରାଣ ହରାଇଥିବାବେଳେ ନିକଟରେ ବାଘ ଜଣେ କୃଷକଙ୍କୁ ଆକ୍ରମଣ କରିବା ସମୟରେ ସ୍ଥାନୀୟ ଲୋକମାନେ ତାକୁ ପିଟିପିଟି ମାରିଦେଇଛନ୍ତି। ଏମିତି ଲଢେଇ ରୋକିବା ପାଇଁ ଉତ୍ତରପ୍ରଦେଶ ଜଙ୍ଗଲ ବିଭାଗ ଅରମ୍ଭ କରିଛି ଏକ ଅଭିନବ ଉପାୟ। ପିଲିଭିଟ ବ୍ୟାଘ୍ର ଅଭୟାରଣ୍ୟର ସୀମାରେ ସୁଗନ୍ଧିତ ଗଛ ଲଗାଇବାକୁ ଯୋଜନା କରାଯାଇଛି। ଜଣେ ବରିଷ୍ଠ ଅଧିକାରୀ କହନ୍ତି ଯେ, ହରିଣ, ଜଙ୍ଗଲି ଘୁଷୁରି ଏବଂ ନୀଳଗାଈ ଭଳି ତୃଣଭୋଜୀ ପ୍ରାଣୀ ସୁଗନ୍ଧିତ ବୃକ୍ଷକୁ ଖାଆନ୍ତି ନାହଁି। ଅଭୟାରଣ୍ୟ ସୀମାରେ ଯଦି ସୁଗନ୍ଧିତ ଗଛ ଲଗାଯାଏ ତେବେ ଏହି ପ୍ରାଣୀମାନେ ସୀମା ନିକଟକୁ ଆସିବେନାହିଁ କି ବାଘ ଏହି ଜୀବଙ୍କୁ ଅନୁସରଣ କରିବାର ପ୍ରଶ୍ନ ବି ଉଠିବନାହିଁ। ବାଘ ଅଭୟାରଣ୍ୟ ସୀମାକୁ ନ ଆସିଲେ ବାଘ – ମଣିଷ ଲଢେଇ ହେବା ଆଶଙ୍କା ମଧ୍ୟ ରହିବନି। ସୀମା ନିକଟବର୍ତ୍ତୀ ଗାଁର କୃଷକମାନେ ଲେମନ ଘାସ, ପପି, ପାମ ରୋଜ ଏବଂ ଗେରାନିୟମ ଗଛ ଲଗାଇବା ଆରମ୍ଭ କରିଛନ୍ତି। ଏହା ମଧ୍ୟ ଲାଭଜନକ ଫସଲ। ବର୍ଷକୁ ତିନିଥର ମାର୍ଚ୍ଚ, ଜୁନ ଓ ଅକ୍ଟୋବରରେ ଏହା ଅମଳ ହୋଇପାରିବ । ଜଙ୍ଗଲ ଅଧିକାରୀମାନେ ନ୍ୟାଶନାଲ ବ୍ୟାଙ୍କ ଅଫ୍‌ ଏଗ୍ରିକଲଚର ଆଣ୍ଡ୍‌ ରୁରାଲ ଡେଭେଲପ୍‌ମେଣ୍ଟ( ନାବାର୍ଡ) ଏବଂ ଦି ଏଗ୍ରିକଲଚର ସାଇନ୍ସ ସେଣ୍ଟରର ସହାୟତାରେ କୃଷକମାନଙ୍କୁ ମଞ୍ଜିି ଯୋଗାଇବା ସହ ଚାଷ ସମ୍ପର୍କରେ ଆବଶ୍ୟକ ତଥ୍ୟ ପ୍ରଦାନ କରୁଛନ୍ତି।

Share