ବାଇକ ଚୋରି ର଼୍ୟାକେଟର ପର୍ଦ୍ଦାଫାଶ: ୫ ବାଇକ ଜବତ, ୩ ଗିରଫ

ଦେଓଗାଁ, ୨୨ା୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ଦେଓଗାଁ ପୋଲିସ ଏକ ବାଇକ ଚୋରି ର଼୍ୟାକେଟର ପର୍ଦ୍ଦାଫାଶ କରିଛି। ଏ ସଂକ୍ରାନ୍ତରେ ବୁଧବାର ୩ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ସଇଁନ୍ତଲା ଥାନା ଅନ୍ତର୍ଗତ ଦାବଜୁରୀର ପବିତ୍ର ଛତ୍ରିଆ(୨୪), ଦେଓଗାଁ ଥାନା ଅନ୍ତର୍ଗତ ଛତାପିପଲର ସ୍ବାଧୀନ ବାରିକ(୩୫) ଓ ବ୍ରାହ୍ଣଣୀର ଭୂପେନ୍ଦ୍ର କୁମ୍ଭାର(୨୮)। ଏଥିସହିତ ୪ଟି ଚୋରି ବାଇକ ଏବଂ ଚୋରିରେ ବ୍ୟବହୃତ ଏକ ବାଇକ ଜବତ ହୋଇଛି। ବଲାଙ୍ଗୀର ଏସ୍‌ଡିପିଓ ଶ୍ରୀମନ୍ତ ବାରିକ ଓ ଥାନାଧିକାରୀ ରଞ୍ଜନ ବରିହା ଏ ନେଇ ସୂଚନା ଦେଇଛନ୍ତି। ସୂଚନାନୁସାରେ ଗତ ମାର୍ଚ୍ଚ ୩୧ ତାରିଖରେ ସଇଁନ୍ତଲା ଥାନା କୁମ୍ଭାରୀ ଗାଁର ଚମାର ତୁମୁଲିଆ ଗଁ।ରୁ ଦେଓଗାଁ ବ୍ଲକ ସିକୁଆଁକୁ ତାଙ୍କ ବାଇକରେ ଆସୁଥିଲେ। ଏହି ସମୟରେ ଲଣ୍ଡାପଥର ପାଖରେ ତାଙ୍କୁ ଅନ୍ୟତମ ଅଭିଯୁକ୍ତ ପବିତ୍ର ଲିଫ୍ଟ ମାଗିଥିଲେ। ତାଙ୍କ ସହ କିଛି ଦୂର ଆସିବା ପରେ ପରିଶ୍ରା କରିବା ବାହାନାରେ ଅଟକାଇ ବାଇକ ଧରି ଫେରାର ହୋଇ ଯାଇଥିଲେ। ଏ ନେଇ ଚମାର ଦେଓଗାଁ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା (ନଂ. ୧୦୦/୨୦)ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା। ସଇଁନ୍ତଲା ଥାନା ଦାବଜୁରୀ ଭିରକାପଡାରୁ ଅଭିଯୁକ୍ତ ପବିତ୍ରଙ୍କୁ ଧରିବା ସହ ଛତ୍ରିଆଙ୍କ ଚୋରି ବାଇକ ଓ ହାତିସରାରୁ ଚୋରି ଅନ୍ୟ ଏକ ବାଇକ ଜବତ କରିଥିଲା ପୋଲିସ। ତାଙ୍କୁ ସହଯୋଗ କରିଥିବା ସ୍ବାଧୀନ ବାରିକଙ୍କ ସମେତ ଚୋରିରେ ବ୍ୟବହୃତ ବାଇକ ନଂ ଓଡି୦୩ଏମ୭୫୫୩୯କୁ ଛତାପିପଲରୁ ଉଦ୍ଧାର କରାଯାଇଥିଲା। ଏଥିସହ ପବିତ୍ର ବ୍ରାହ୍ମଣୀ ଗାଁର ଭୂପେନ୍ଦ୍ର କୁମ୍ଭାରଙ୍କୁ ପୂର୍ବରୁ ବିକ୍ରୀ କରିଥିବା ଅନ୍ୟ ଏକ ବାଇକକୁ ଜବତ କରିବା ସହ ତାଙ୍କୁ ମଧ୍ୟ ଗିରଫ କରିଥିଲା ପୋଲିସ। ତେବେ ଅଭିଯୁକ୍ତି ବିକ୍ରି କରିଥିବା ଅନ୍ୟ ଏକ ଚୋରି ବାଇକକୁ ବଲାଙ୍ଗୀର ଆରଟିଓ ଜବତ କରିଥିଲା। ଉକ୍ତ ଗାଡିର ନମ୍ବର ବଦଳା ଯାଇ ଏକ ପୁରୁଣା ରାଜଦୂତ ନମ୍ବର ଓଆର୦୩ଏ୫୬୨୨ ଲଗାଇଥିବାରୁ ଆରଟିଓ ଓ ପୋଲିସର ସନ୍ଦେହ ଦୃଢ଼ୀଭୂତ ହୋଇଥିଲା।