ବାଇକକୁ ଧକ୍କା ଦେଲା ବୁଲେଟ, ୪ ଗୁରୁତର

ପରଜଙ୍ଗ, ୯ା୩(ଡି.ଏନ.ଏ)- ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମୁକ୍ତାପଶି-ବଡ଼କମର ଗ୍ରାମ୍ୟ ନିର୍ମାଣ (ଆର୍ଡ଼ି) ରାସ୍ତାର କଟାବାହାଳ ଛକ ନିକଟରେ ସୋମବାର ମଧ୍ୟାହ୍ନରେ ଏକ ବାଇକକୁ ବୁଲେଟ ଧକ୍କା ଦେଇଛି। ଏଥିରେ ୪ ଜଣ ଗୁରୁତର ହୋଇଛନ୍ତି। ଘଟଣାରୁ ପ୍ରକାଶ, ବାଇକ ଚାଳକ ଜଟିଆ ଗ୍ରାମର ବାସୁଦେବସାହୁ (୪୩) ତାଙ୍କ ଝିଅ ଧରିତ୍ରୀ ସାହୁ (୧୪), ଭାଣିଜୀ ବସୋଇ ଗ୍ରାମର ଶୁଭଶ୍ରୀ ସାହୁ (୧୩)ଙ୍କୁ ନେଇ ଯାତ୍ରା ଦେଖିବାକୁ ପାଟରପଦା ସ୍ଥିତ ବନ୍ଧୁ ଘରକୁ ଯାଉଥିବା ବେଳେ ସମ୍ମୁଖରୁ ଆସୁଥିବା ପାଟରପଦା ଗ୍ରାମର ଟେମ୍ସ ବିଶ୍ୱାଳ (୩୦)ଙ୍କ ବୁଲେଟ ସହ ଧକ୍କା ହୋଇଥିଲା। ସମସ୍ତ ୪ ଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।  ଅବସ୍ଥା ସଙ୍କଟାପନ୍ନ ହେବାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ଆହତଙ୍କୁ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି। ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦନ୍ତ୍ର ଆରମ୍ଭ କରିଛି।