ବହୁରୂପୀ କରୋନା: ସେଥିପାଇଁଁ ଅଧିକ ସତର୍କତା ଜରୁରୀ

ନୂଆଦିଲ୍ଲୀ,୨୦।୪: ବିଶ୍ୱର ମୁଣ୍ଡ ବିଗାଡିଲାଣି ଚାଇନାରୁ ଆସିଥିବା କରୋନା ଭାଇରସ। ଏହି ଭାଇରସ ସଂକ୍ରମଣରେ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଲକ୍ଷ ଲକ୍ଷ ଲୋକ ଏଥିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଏମିତିକି ଆମେରିକା ଭଳି ଶକ୍ତିଶାଳୀ ଦେଶ ବି କରୋନା ଭାଇରସ ସାମ୍ନାରେ ନିଜକୁ ଅସହାୟ ମଣୁଛି। କାରଣ ଏବେ କରୋନା ସଂକ୍ରମଣରେ ଆମେରିକାରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। ଏହି କରୋନା କବଳରେ ଏବେ ଭାରତ। ଯଦିଓ ଏଠାରେ ଏତେ ପରିମାଣରେ ସଂକ୍ରମିତ ନାହାନ୍ତି ତଥାପି ଯେଉଁ ହାରରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି ତାହା ଏବେ ଚିନ୍ତାର କାରଣ ପାଲଟି ଯାଇଛି। ଗୋଟିଏ ଦିନ ପୂର୍ବରୁ ରାଜଧାନୀ ଦିଲ୍ଲୀରେ ଚିହ୍ନଟ ହୋଇଥିବା ପ୍ରାୟ ୧୮୬ ଜଣ କରୋନା ସଂକ୍ରମିତ ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛନ୍ତିି। କାରଣ ନା ଏମାନଙ୍କ ପାଖରେ କରୋନାର କୌଣସି ଲକ୍ଷଣ ପ୍ରକାଶ ପାଇଥିଲା ନା ଏମାନଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ରହିଛି। ତେଣୁ ଏବେ ଏହାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ କହିଛନ୍ତି ୧୮୬ ଜଣ କରୋନା ସଂକ୍ରମିତ ଏବେ ଚିନ୍ତାର କାରଣ। ଏମାନଙ୍କ ସମ୍ପର୍କରେ ଏବେ ତଥ୍ୟ ସଂଗ୍ରହ କରାଯାଉଥିବା ବେଳେ ଏମାନଙ୍କ ସଂସ୍ପର୍ଶରେ ଆସିଥବା ଲୋକଙ୍କୁ ମଧ୍ୟ ଚିହ୍ନଟ କରିବା ପ୍ରକ୍ରିୟା ଜାରି ରହିଛି। ସେପଟେ ମହାରାଷ୍ଟ୍ରରେ ବି କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବାରୁ ଏହା ସେଠାକାର ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ତେବେ ସେଠାକାର ସାଧାରଣ ଲୋକ କରୋନାରୋ ସଂକ୍ରମିତ ହେବା ଆଉ ଏକ ଚିନ୍ତାର କାରଣ ହୋଇଛି। ଏହାକୁ ନେଇ ଏବେ ଆଲୋଚନା ହେଉଛି କି କରୋନା ଭାଇରସ ହେଉଛି ବହୁରୂପୀ। ଏହା କାହାକୁ କେତେବେଳେ ଆକ୍ରାନ୍ତ କରିବ ତାହା ଏବେ ବୁଝିବା ମୁସ୍କିଲ ହୋଇ ପଡିଛି। ଆଖିକୁ ଦେଖାଯାଉ ନ ଥିବା ଏହି ଭାଇରସର କୌଣସି ଚିକିତ୍ସା ସୁବିଧା ନ ଥିବାରୁ ଏଥିପାଇଁ ଅଧିକ ସତର୍କତା ଜରୁରୀ ବୋଲି କୁହାଯାଉଛି।

Share