ବସ୍‌ ଧକ୍କାରେ ମହିଳା ମୃତ, କ୍ଷତିପୂରଣ ଦାବିରେ ଗ୍ରାମବାସୀଙ୍କ ରାସ୍ତାରୋକୋ

ଗଞ୍ଜାମ,୩୦ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ୧୬ ନଂ. ଜାତୀୟ ରାଜପଥ ପୁଇଁତୋଳା ଗ୍ରାମ ନିକଟରେ ମଙ୍ଗଳବାର ଭୋରରେ ବସ୍‌ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପୁଇଁତୋଳା ଗ୍ରାମର ଯୁଧିଷ୍ଠିର ନନ୍ଦଙ୍କ ସ୍ତ୍ରୀ ଅପସରି ନନ୍ଦ(୬୧)।
ମିଳିଥିବା ସୂଚନାନୁଯାୟୀ, ଅପସରି ଚାଷ କାର୍ଯ୍ୟ ପାଇଁ ସକାଳୁ ବିଲକୁ ଯାଉଥିବା ବେଳେ ବ୍ରହ୍ମପୁରରୁ ଜୟପୁର ଅଭିମୁଖେ ଯାଉଥିବା ଜି. ଗ୍ରୀନ ବସ୍‌(ନଂ. ଓଡି୦୨ଏଲ୫୨୮୬) ତାଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ଘଟିଛି। ଏ ନେଇ ସ୍ଥାନୀୟ ଅଞ୍ଚଳବାସୀ ଜାତୀୟ ରାଜପଥ ଅବରୋଧ କରିଥିଲେ। ପାଖାପାଖି ଏକ ଘଣ୍ଟା କାଳ ଉକ୍ତ ରାସ୍ତାରେ ଜାନବାବହନ ଚଳାଚଳ ବନ୍ଦ ରହିଥିଲା। ଖବର ପାଇ ଗଞ୍ଜାମ ଥାନା ଅଧିକାରୀ ସୁଦାମ ମଲିକ, ଏସ୍‌ଆଇ ହୃଷିକେଶ ପଣ୍ଡା, ଏଏସ୍‌ଆଇ ସକୁନ୍ତଳା ଦେବୀ, ଆର୍‌ଆଇ ନିଳାଞ୍ଚଳ ବେହେରା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ପରେ ଦୁର୍ଘଟଣା ଘଟାଇଥିବା ବସ୍‌ ମାଲିକଙ୍କ ସହ ଥାନା ଅଧିକାରୀ ଫୋନ୍‌ ଯୋଗେ କଥାବାର୍ତ୍ତା କରିଥିଲେ। ବସ୍‌ ମାଲକ ମୃତକଙ୍କ ସ୍ବାମୀଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ରାଜି ହେବା ପରେ ରାସ୍ତାରୋକୋ ହଟିଥିଲା। ଏଥିସହ ରେଡ୍‌କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ଆର୍‌ଆଇ ବେହେରା କହିଛନ୍ତି । ପରେ ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା ।