Categories: ଜାତୀୟ

ବସ୍‌ ଚଳାଇଲେ ମହିଳା ଆଇଏଏସ୍‌ ଅଫିସର

ବେଙ୍ଗାଲୁରୁ,୧୫।୧: ଜଣେ ମହିଳା ଆଇଏଏସ୍‌ ଅଫିସର ରାସ୍ତାରେ ଭଲବୋ ବସ୍‌ ଚଳାଇଥିବା ଦେଖିବାକୁ ମିଳିଛି। ପ୍ରଥମେ ଏହା ସମସ୍ତଙ୍କୁ ଚକିତ କରିଦେଇଥିବା ବେଳେ ପରେ ପ୍ରେରଣା ପାଲଟିଯାଇଥିଲେ। ଏହି ଦୃଶ୍ୟ ଦେଖିବାକୁ ମିଳିଛି ବେଙ୍ଗାଲୁରୁରେ। ସୂଚନାଯୋଗ୍ୟ, ବେଙ୍ଗାଲୁରୁର ମେଟ୍ରୋପଲିଟାନ ଟ୍ରାନ୍ସପୋର୍ଟ କର୍ପୋରେଶନ୍‌ (ବିଏମ୍‌ଟିସି)ର ଏମ୍‌ଡି ତଥା ମହିଳା ଆଇଏଏସ୍‌ ଅଫିସର ସି.ଶିଖା ମଙ୍ଗଳବାର ଗାଡିର ନିରୀକ୍ଷଣ ପାଇଁ ଅଧିକାରୀଙ୍କ ସହ ପହଞ୍ଚିଥିଲେ। ସହରରେ ଲଗାତାର ଦୁର୍ଘଟଣା ଘଟୁଥିବାରୁ ନିରୀକ୍ଷଣ ପାଇଁ ଶିଖା ନିଜେ ଟେଷ୍ଟ ଟ୍ରାକ୍‌ରେ ବସ୍‌ ଚଳାଇଥିଲେ। ଏହାକୁ ଦେଖି ଅଧିକାରୀମାନେ ପ୍ରଥମେ ଡରିଯାଇଥିଲେ। ହେଲେ ଅଭିଜ୍ଞ ଡ୍ରାଇଭର ଭଳି ବସ୍‌ ଚଳାଉଥିବା ଦେଖି ସେଠାରେ ଉପସ୍ଥିତ ଲୋକମାନେ ତାଳି ମାରି ତାଙ୍କୁ ଉତ୍ସାହିତ କରିଥିଲେ। ଏହାପରେ ଶିଖା ଚାଳକଙ୍କ ସହ କଥାବାର୍ତ୍ତା ହୋଇ ସେମାନଙ୍କ ସମସ୍ତ ସମସ୍ୟା ବିଷୟରେ ପଚାରି ବୁଝିଥିଲେ। ଏଥିସହ ତାଙ୍କର ଏହି ସମସ୍ୟାକୁ ଖୁବ୍‌ଶୀଘ୍ର ଦୂର କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ଚାଳକଙ୍କୁ ବିଭିନ୍ନ ସ୍ତରରେ ବହୁ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ ଏହାପରେ ବି ଯାତ୍ରୀଙ୍କ ସୁରକ୍ଷା ଆମର ଦାୟିତ୍ୱ ବୋଲି ଶିକ୍ଷା କହିଛନ୍ତି। ଶିକ୍ଷାଙ୍କ ଏଭଳି କାର୍ଯ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Share