ବସ୍‌ରେ ଲାଗିଲା ନିଆଁ

ବାଲେଶ୍ୱର ଅଫିସ,୧୧।୧: ବାଲେଶ୍ୱର ଜିଲା ରେମୁଣା ବ୍ଲକ ୬ନଂ. ଜାତୀୟ ରାଜପଥ ପଦ୍ମପୁର ନିକଟରେ ଏକ ଯାତ୍ରୀବାହୀ ବସ୍‌ ଶତାଧିକ ଯାତ୍ରୀ ନେଇ ଯାଉଥିବାବେଳେ ଶନିବାର ସନ୍ଧ୍ୟାରେ ହଠାତ୍‌ ନିଆଁ ଲାଗିଯାଇଥିଲା।
ବାଲେଶ୍ୱର ବସ୍‌ଷ୍ଟାଣ୍ଡରୁ ବସ୍‌ ବାହାରି ବାରିପଦା ଅଭିମୁଖେ ଯାଉଥିବା ବେଳେ ପଦ୍ମପୁର ନିକଟରେ ବସ୍‌ରେ ନିଆଁ ଲାଗିଯାଇଥିଲା। ବସ୍‌ ଭିତରେ ଧୂଆଁ ଭର୍ତ୍ତି ହୋଇଯିବାରୁ ଡ୍ରାଇଭର ଏବଂ ହେଲପର ବସ୍‌ରେ ନିଆଁ ଲାଗିଥିବା ଜାଣିପାରିଥିଲେ। ବସ୍‌କୁ ଅଟକାଇବା ସହ ଯାତ୍ରୀମାନେ ବସ୍‌ର ଝରକା କାଚକୁ ଭାଙ୍ଗି ବାହାରକୁ ବାହାରିଥିଲେ। ଯାତ୍ରୀମାନେ ଭୟଭୀତ ହୋଇ ଠେଲାପେଲା ହେବାରୁ ବହୁ ମହିଳା, ଶିଶୁ ଓ ବୃଦ୍ଧାବୃଦ୍ଧମାନେ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ, ବସ୍‌ କର୍ମଚାରୀ ଓ ଯାତ୍ରୀମାନଙ୍କ ମିଳିତ ଉଦ୍ୟମରେ ନିଆଁକୁ ଆୟତ୍ତ କରାଯାଇଥିଲା। କୌଣସି ଯାତ୍ରୀଙ୍କର ମୃତ୍ୟୁବରଣ ହୋଇ ନ ଥିବା ବେଳେ ଓଭରଲୋଡ଼ିଂ ଯୋଗୁ ଟାୟାର୍‌ରେ ନିଆଁ ଲାଗି ଯାଇଥିବା ଆଶଙ୍କା କରାଯାଉଛି।