ବସ୍ତିବାସିନ୍ଦାଙ୍କୁ ରନ୍ଧାଖାଦ୍ୟ ବଣ୍ଟନ, ସାମାଜିକ ଦୂରତା ବଜାୟ ରଖିବାକୁ ସଚେତନତା

ଚୌଦ୍ୱାର,୧୫ା୪(ଡି.ଏନ୍‌.ଏ.): କରୋନା ପାଇଁ ଲକ୍‌ଡାଉନ୍‌ ଜାରି ରହିଥିବାରୁ ଗରିବ ପରିବାରରେ ଖାଦ୍ୟ ସଂକଟ ଦେଖାଦେଇଛି। ଲୋକେ କାମଧନ୍ଦା ପାଇଁ ବାହାରକୁ ଯାଇ ପାରୁ ନ ଥିବାରୁ ରୋଜଗାରର ସମସ୍ତ ରାସ୍ତା ବନ୍ଦ ହୋଇଯାଇଛି। ଫଳରେ ବସ୍ତି ଅଞ୍ଚଳରେ ରହୁଥିବା ଲୋକମାନେ ଅର୍ଥାଭାବରୁ ବିଶେଷ ସଂକଟର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ସ୍ବେଚ୍ଛାସେବୀ ଅନୁଷ୍ଠାନ ହିନ୍ଦ୍‌ ସେବକ ସଂଘର ଚୌଦ୍ୱାର କେନ୍ଦ୍ର ପକ୍ଷରୁ ବସ୍ତି ବାସିନ୍ଦାଙ୍କୁ ଖାଦ୍ୟ ବଣ୍ଟନ କରାଯାଉଛି। ଏହି କାର୍ଯ୍ୟରେ ଚୌଦ୍ୱାର ପ୍ରେସ୍‌ କ୍ଲବ୍‌ର ସଦସ୍ୟମାନେ ସହଯୋଗରେ ହାତ ବଢ଼ାଇଛନ୍ତି। ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଶିଶୁସଦନର ମୁଖ୍ୟ ଦାମୋଦର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରନ୍ଧାଖାଦ୍ୟ ପ୍ରସ୍ତୁତ କରାଯାଇ ପୌରପାଳିକା ୧୭ ନମ୍ବର ୱାର୍ଡସ୍ଥିତ ଦୂରାରୋଗୀ ବସ୍ତିରେ ବିତରଣ କରାଯାଇଛି। ସଂଘର ଆଜୀବନ ସଦସ୍ୟ ଗଙ୍ଗାଧର ସାହୁ, ଶିଶୁସଦନ ପରିଚାଳକ ସୀମାନ୍ତ ନାୟକ, ୧୭ ନମ୍ବର ୱାର୍ଡ ସଭାପତି ଆଶୁତୋଷ ଦାସ, ପ୍ରେସ୍‌କ୍ଲବ୍‌ ସଦସ୍ୟ ରମେଶ ଚନ୍ଦ୍ର ସାମଲ,ଏସ୍‌କେ ପଣ୍ଡା, ପ୍ରକାଶ କୁମାର ନାୟକ, ସୁଧାକର ସାମନ୍ତରାୟ, ଅଜିତ୍‌ କୁମାର ସ୍ବାଇଁ, ଲକ୍ଷ୍ମୀଧର ଦାସ,ବିଶ୍ୱଜିତ୍‌ ସାହାଣୀ, ଶିଶୁ ସଦନ କର୍ମୀ ଅଲେଖ ଚନ୍ଦ୍ର ମଲ୍ଲିକ୍‌ ପ୍ରମୁଖ ବସ୍ତିରେ ଘରକୁ ଘର ବୁଲି ମୋଟ ୫୫ ପରିବାରର ୧୫୦ରୁ ଊଦ୍ଧ୍ୱର୍ର୍ ଲୋକଙ୍କୁ ଖିଚୁଡ଼ି, ଚୁଡ଼ା, ପାଣିବୋତଲ, ମାସ୍କ ଆଦି ବଣ୍ଟନ କରିଥିଲେ। ସ୍ଥାନୀୟ ପୂର୍ବତନ କାଉନସିଲର ଗିରିଧାରୀ ଦଳାଇ ଓ ରାକେଶ ଜେନା ଏଥିରେ ସହଯୋଗ କରିଥିଲେ । ନିୟମିତ ମାସ୍କ ପିନ୍ଧିବା, ବାହାରକୁ ନ ବାହାରିବା, ସାମାଜିକ ଦୂରତ୍ୱ ରକ୍ଷା କରିବା, ପରିବେଶକୁ ପରିସ୍କାର ପରିଚ୍ଛନ୍ନ ରଖିବା ଆଦି ସମ୍ପର୍କରେ କ୍ଲବ୍‌ର ସଦସ୍ୟମାନେ ଲୋକଙ୍କୁ ସଚେତନ କରିଥିଲେ।