ବଲିଉଡ୍‌ରେ ଓ୍ବାହିଦା ରେହମାନଙ୍କୁ ଏହି ଅଭିନେତା ଦେଇଥିଲେ ବ୍ରେକ୍‌

ମୁମ୍ବାଇ: ହିନ୍ଦୀ ଚଳଚ୍ଚିତ୍ରର ପପୁଲାର ଓ ବରିଷ୍ଠ ଅଭିନେତ୍ରୀ ଓ୍ବାହିଦା ରେହମାନ ସୋମବାର ୮୨ ବର୍ଷରେ ପ୍ରଦାର୍ପଣ କରିଛନ୍ତି। ତାଙ୍କର ଜନ୍ମଦିନ ଅବସରରେ ବଲିଉଡ୍‌ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ଶୁଭେଚ୍ଛୁଙ୍କ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ୧୯୩୮ ଫେବୃୟାରୀ ୩ରେ ତାମିଲନାଡୁରେ ଓ୍ବାହିଦା ଜନ୍ମଗ୍ରହଣ କରିଥିଲେ। ଓ୍ବାହିଦା ହିନ୍ଦୀ ସମେତ ତେଲଗୁ, ତାମିଲ, ବେଙ୍ଗଲୀ ଫିଲ୍ମରେ କାମ କରିଥିବା ବେଳେ ତାଙ୍କର ଅଭିନୟ ଯାଦୁ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥାଏ। ଓ୍ବାହିଦାଙ୍କୁ ୫୦ରୁ ୭୦ ଦଶକର ସଫଳ ଅଭିନେତ୍ରୀଙ୍କ ମଧ୍ୟରେ ଗଣାଯାଇଥାଏ। ଅଭିନୟ ପାଇଁ ତାଙ୍କୁ ପଦ୍ମଶ୍ରୀ ଓ ପଦ୍ମଭୂଷଣ ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଛି। ହିନ୍ଦୀ ଫିଲ୍ମ ଜଗତରେ ଓ୍ବାହିଦାଙ୍କୁ ପ୍ରଥମେ ଗୁରୁ ଦତ୍ତ ଆଣିଥିଲେ। ଯେତେବେଳେ ତେଲଗୁ ସିନେମାରେ ଅଭିନୟ କରି ଓ୍ବାହିଦା ସଫଳତାର ପାଦ ଛୁଇଁଥିଲେ ସେତେବେଳେ ଗୁରୁ ଦତ୍ତ ତାଙ୍କୁ ଦେଖି ମୁମ୍ବାଇ ଆଣିବାକୁ ନିଷ୍ପତ୍ତି ନେଇଥିଲେ। ଏହାପରେ ବଲିଉଡ୍‌ରେ ସେ ତାଙ୍କୁ ପ୍ରଥମ ସୁଯୋଗ ଦେଇଥିଲେ। ୧୯୫୭ରେ ଫିଲ୍ମ ‘ପ୍ୟାସା’ରେ ଗୁରୁ ଓ ଓ୍ବାହିଦାଙ୍କ ଯୋଡିକୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ। ଏହି ଦୁଇ ଯୋଡି ଏକାସାଙ୍ଗରେ କେତେଗୁଡିଏ ସୁପରହିଟ୍‌ ଫିଲ୍ମ ମଧ୍ୟ କରିଛନ୍ତି। ସେହି ସମୟରେ ଗୁରୁ ଓ ଓ୍ବାହିଦାଙ୍କ ପ୍ରେମ କାହାଣୀ ମଧ୍ୟ ବେଶ୍‌ ଚର୍ଚ୍ଚା ସାଉଁଟିଥିଲା। ସୁପରହିଟ୍‌ ଫିଲ୍ମ ‘ଗାଇଡ୍‌’ ବକ୍ସ ଅଫିସ୍‌ରେ ଧମାଲ୍‌ କରିଥିବା ବେଳେ ସେଥିରେ ଓ୍ବାହିଦା ଓ ଦେବାନନ୍ଦଙ୍କ ଅଭିନୟକୁ ପସନ୍ଦ କରାଯାଇଥିଲା। ସେହି ସମୟରେ ଏହି ଯୋଡିଙ୍କୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ। ୨୦୧୩ରେ ଫିଲ୍ମ ଜଗତରେ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ଭାରତୀୟ ଶତାବ୍ଦୀ ପୁରସ୍କାର, ଫିଲ୍ମଫେୟାର ଲାଇଫ୍‌ଟାଇମ୍‌ ଆଚିଭ୍‌ମେଣ୍ଟ ଆଓ୍ବାର୍ଡରେ ସମ୍ମାନିତ କରାଯାଇଥିଲା। ଏତଦ୍‌ ବ୍ୟତୀତ ଓ୍ବାହିଦା ବେଷ୍ଟ ଆକ୍‌ଟ୍ରେସ୍‌ ନ୍ୟାସନାଲ ଆଓ୍ବାର୍ଡ ଓ ସର୍ବଶ୍ରେଷ୍ଠ ଅଭିନେତ୍ରୀର ୨ଟି ଫିଲ୍ମଫେୟାର ଆଓ୍ବାର୍ଡ ମଧ୍ୟ ହାତେଇଛନ୍ତି।

Share