ବଲାଙ୍ଗୀର ପୌରପାଳିକା ବୁଲା ଗୋରୁଙ୍କୁ ଖାଇବାକୁ ଦେଉନି

ବଲାଙ୍ଗୀର, ୨୦ା୪-ଲକ୍‌ଡାଉନ ଅବଧିକୁ ପ୍ରାୟ ମାସେ ପୂରିବାକୁ ବସିଲାଣି। ବଲାଙ୍ଗୀର ସହରରେ ବୁଲା ଗାଈଗୋରୁ ଭୋକିଲା ଅବସ୍ଥାରେ ବୁଲୁଛନ୍ତି। ରାଜ୍ୟ ସରକାର ବୁଲା ଗାଈଗୋରୁ, କୁକୁରଙ୍କୁ ଖାଦ୍ୟ ଯୋଗାଇବାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ବଲାଙ୍ଗୀର ମ୍ୟୁନିସିପାଲଟିରେ ଏହାକୁ ପାଳନ କରାଯାଉନାହିଁ। ନାମକୁ ମାତ୍ର ଗାଈଗୋରୁଙ୍କୁ ଖାଉବାକୁ ଦିଆଯାଉଛି। କେବଳ ଫଟୋ ଉଠାଣରେ ବୁଲା ଗାଈଗୋରୁଙ୍କୁ ଖାଦ୍ୟ ଯୋଗାଣ ସୀମିତ ରହିଛି। ବିଭିନ୍ନ ପଡାରେ ଅନେକ ଗାଈଗୋରୁ ଭୋକିଲା ଅବସ୍ଥାରେ ପଡି ରହିଛନ୍ତି। ପିଇବାକୁ ପାଣି ପାଉନାହାନ୍ତି। କିଛି ଲୋକ ନିଜ ଉଦ୍ୟମରେ ବୁଲା ଗାଈଗୋରୁ ଓ କୁକୁରଙ୍କୁ ଖାଇବାକୁ ଯୋଗାଇଛନ୍ତି। ମାତ୍ର ସରକାରୀ ଭାବେ ଗାଈଗୋରୁଙ୍କୁ ଖାଇବାକୁ ଦିଆଯାଉଥିବା ଦେଖା ଯାଉନାହିଁ। ଫଳରେ ବୁଲା ଗାଈଗୋରୁଙ୍କ ଅବସ୍ଥା ସାଙ୍ଘାତିକ ହୋଇପଡିଲାଣି। ପ୍ରଚଣ୍ଡ ଖରାରେ ଗାଈଗୋରୁମାନେ ଭୋକିଲା ଅବସ୍ଥାରେ ପଡିରହିଥିବାରୁ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇପଡିଛି। ବାସ୍ତବରେ ମ୍ୟୁନିସିପାଲଟି ପକ୍ଷରୁ କେତେ ଗାଈଗୋରୁଙ୍କୁ ଖାଇବାକୁ ଦିଆଯାଉଛି ସେ ତଥ୍ୟ ଦିଆଯାଉନାହିଁ। ବିଭିନ୍ନ ପଡାରେ କିଛିଲୋକ କହିଛନ୍ତି ଯେ ମ୍ୟୁନିସିପାଲଟି ପକ୍ଷରୁ ଗାଈଗୋରୁଙ୍କୁ ଖାଇବାକୁ ଦିଆଯିବା ସେମାନେ ଦେଖିନାହାନ୍ତି। ଲୋକେ ହିଁ ବୁଲା ଗାଈଗୋରୁଙ୍କୁ ଖାଇବାକୁ ଦେଉଛନ୍ତି। ତେବେ ଏ ନେଇ ଜାଣିବାକୁ ମୁନିସିପାଲିଟିର ନିର୍ବାହୀ ଅଧିକାରୀ ବିପିନ ବିହାରୀ ଦୀପ୍‌ଙ୍କୁ ଫୋନ୍‌ ଯୋଗେ ଚେଷ୍ଟା କରିଥିଲେ ମଧ୍ୟ ସେ ରିସିଭ୍‌ କରି ନ ଥିଲେ।