ବଲାଙ୍ଗୀରରେ ୨୫୦୦ ଶଯ୍ୟା ବିଶିଷ୍ଟ କ୍ୱାରାଣ୍ଟାଇନ୍‌ ସେଣ୍ଟର

ବଲାଙ୍ଗୀର ଅଫିସ,୧୧ା୪: କରୋନା ମହାମାରୀର ସଫଳ ମୁକାବିଲା ପାଇଁ ବଲାଙ୍ଗୀର ଜିଲା ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନଭିତ୍ତିିରେ ପ୍ରୟାସ ଆରମ୍ଭ ହୋଇଛି। ବଲାଙ୍ଗୀର ମ୍ୟୁନିସିପାଲିଟି ଅଞ୍ଚଳରେ ୨୫୦୦ଶଯ୍ୟାର କ୍ୱାରାଣ୍ଟାଇନ୍‌ ସେଣ୍ଟର ଖୋଲାଯିବାକୁ ନିଷ୍ପତ୍ତି ହୋଇଛି। ଏ ନେଇ ବଲାଙ୍ଗୀର ସହର, ସଦାଇପାଲି, ଦୁର୍ଗାପାଲିଠାରେ ୧୮ଟି ସ୍ଥାନରେ କ୍ୱାରାଣ୍ଟାଇନ୍‌ ସେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ଜିଲାପାଳ ଅରିନ୍ଦମ ଡାକୁଆ ଶନିବାର ଏହି କ୍ୱାରାଣ୍ଟାଇନ୍‌ ସେଣ୍ଟରଗୁଡିକ ପରିଦର୍ଶନ କରି ସି୍ଥତି ସମୀକ୍ଷା କରିଛନ୍ତି। ଜିଲାପାଳଙ୍କ ସହ ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ବିପିନ ଦୀପ ମଧ୍ୟ ଉପସ୍ଥିତ ଥିଲେ। ମିଳିଥିବା ସୂଚନା ଅନୁଯାୟୀ, ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜ ଓ ହସ୍ପିଟାଲରେ ୮୦ ଶଯ୍ୟା, ନେତ୍ର ନିକେତନଠାରେ ୪୦, ଶାନ୍ତିପଡା କଲ୍ୟାଣ ମଣ୍ଡପଠାରେ ୩୦, କଲେଜ ଛକ କଲ୍ୟାଣ ମଣ୍ଡପଠାରେ ୧୧୦ , ଆଇଟିଆଇ ନ୍ୟୁ ହଷ୍ଟେଲଠାରେ ୧୧୭ ଏବଂ ପୁରୁଣା ହଷ୍ଟେଲଠାରେ ୯୦ଶଯ୍ୟା, ପଲିଟେକ୍‌ନିକ୍‌ ବାଳନ ହଷ୍ଟେଲଠାରେ ୧୩୮ ଏବଂ ବାଳିକା ହଷ୍ଟେଲଠାରେ ୧୩୮ ଶଯ୍ୟା, ସୁଦପଡା କଲ୍ୟାଣ ମଣ୍ଡପଠାରେ ୩୦, ପଲିଟେକ୍‌ କାଫେଟେରିଆରେ ୪୦, ସଦାଇପାଲି ପଲ୍ଲୀଶ୍ରୀ ହାଇସ୍କୁଲରେ ୫୦, ଦୁର୍ଗାପାଲି ସେଞ୍ଚୁରିଆନ୍‌ ଇଣ୍ଡଷ୍ଟ୍ରିଆଲ ଟ୍ରେନିଂ ସେଣ୍ଟରଠାରେ ୧୦୦ , ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନ୍ୟୁ ହଷ୍ଟେଲରେ ୯୦, ନୂଆ କୋଠାରେ ୧୬୦ ଏବଂ ପିଜି ହଷ୍ଟେଲରେ ୧୧୬, ସଦାଇପାଲି ସାଇଟ୍‌ ନର୍ସିଂ କଲେଜରେ ୫୦ ଓ ଗନ୍ଧମାର୍ଦ୍ଦନ ଆଇଟିଆଇଠାରେ ୭୦ ଶଯ୍ୟା ବିଶିଷ୍ଟ କ୍ୱାରାଣ୍ଟାଇନ୍‌ ସେଣ୍ଟର କାମ ଆରମ୍ଭ ହୋଇଯାଇଛି। ବିଭିନ୍ନ ସ୍ଥାନରେ ଶଯ୍ୟା ପକାଯାଉଥିବା ସହ ସେଠାରେ ଅନ୍ୟାନ୍ୟ ଆନୁସଙ୍ଗିକ୍‌ ବ୍ୟବସ୍ଥା ଉପଲବ୍ଧ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ୧୮ଟି କ୍ୱାରାଣ୍ଟାଇନ୍‌ ସେଣ୍ଟର ପାଇଁ ଜଣେ ଲେଖାଏ ସହାୟକ ଓ ସହକାରୀ ସହାୟକ ନିଯୁକ୍ତ କରାଯାଇଛି। ଏ ପର୍ଯ୍ୟନ୍ତ ବଲାଙ୍ଗୀର ସହରରେ ୧୫୦୦ ଶଯ୍ୟା ସୁବିଧା କରାଯାଇଥିବା ଜଣାପଡିଛି। ଶନିବାର ଜିଲାପାଳ ଡାକୁଆ ସମସ୍ତ କ୍ୱାରାଣ୍ଟାଇନ୍‌ ସେଣ୍ଟର ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି। ଲୀଳାମୟ ସାହୁ, ଭକ୍ତବନ୍ଧୁ ଦାଶ, ହସେନ୍‌ ଦିଗାଲ, ସୁଧାଂଶୁ ଶେଖର ପାଢ଼ୀ ଓ ଚିଣ୍ଟୁ କରନ୍‌ ସମସ୍ତ କ୍ୱାରାଣ୍ଟାଇନ୍‌ ସେଣ୍ଟର ତଦାରଖ କରିବାକୁ ଦାୟିତ୍ୱ ଅର୍ପଣ କରାଯାଇଥିବା ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ଦୀପ ଜଣାଇଛନ୍ତି।