ବର୍ଷା ଅଭାବରୁ ଚାଷ ଜମି ଫାଟିଲା

ବଡ଼ଗାଁ, ୧୮।୭ (ଡି.ଏନ.ଏ)-ବଡଗାଁ ବ୍ଲକ ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା ସ୍ବାଭାବିକ ବର୍ଷା ଠାରୁ ଅତି କମ୍‌ ବୃଷ୍ଟିପାତ ଯୋଗୁ ମାଳ ଓ ଗୋଡା ଜମି ଫାଟି ଆଁ କଲାଣି। ବାହାଲ କିସମର କେତେକ ଖାଲୁଆ ଜମିରେ ସାମାନ୍ୟ ଆଦ୍ରତା ଥିଲାବେଳେ ଆଉ କେତେକ ବାହାଲ ଜମି ଶୁଖିଗଲାଣି। ଆସନ୍ତା ୪ରୁ ୮ ଦିନ ମଧ୍ୟରେ ବର୍ଷା ନ ହେଲେ ନିଶ୍ଚିତ ମରୁଡିର ପଦଧ୍ୱନୀ ଶୁଣାଗଲାଣି । ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ମାତ୍ର ୩୧୭. ୯ ମିମି ବର୍ଷା ହୋଇଥିଲା ବେଳେ ଜୁଲାଇ ୧୧ରୁ ଏ ଯାଏଁ ବର୍ଷାର ଦେଖାନାହିଁ। ଜୁନରେ ୨୩୭. ୪ ମିମି, ଜୁଲାଇରେ ୩୮୬.୪ ମିମି, ଅଗଷ୍ଟରେ ୩୯୩. ୯ ମିମି ଓ ସେପ୍ଟେମ୍ବରରେ ୨୧୧.୫ ମିମି ବୃଷ୍ଟିପାତ ହେଲେ ସ୍ବାଭାବିକ ବର୍ଷା ଧରାଯାଏ ଓ ଏହା ଚାଷକୁ ଆଗେଇ ନେଇଥାଏ। ସେ ଅନୁଯାଇ ଜୁନ ଓ ଜୁଲାଇରେ ମୋଟ ୬୨୩.୮ ମିମି ବର୍ଷା ହେବା କଥା। କିନ୍ତୁ ବର୍ତ୍ତମାନ ସୁଦ୍ଧା ହୋଇଛି ୩୧୭.୯ ମିମି ବର୍ଷା । ସ୍ବଳ୍ପ ବର୍ଷା ଯୋଗୁ ହତାଶ ହୋଇପଡିଥିବା ଚାଷୀ ମେଘୁଆ କିମ୍ବା କଳା ହାଣ୍ଡିଆ ମେଘ ଦେଖିଲେ ମନରେ ଆଶା ଉଜ୍ଜିବିତ କରେ। କିନ୍ତୁ କିଛି ସମୟ ପରେ ପ୍ରଚଣ୍ଡ ଖରା ଆଶାକୁ ଝାଉଁଲି କରିଦିଏ। ତେବେ ଯେଉଁ ଚାଷୀମାନେ ଉଚ୍ଚ ଜମି ଯଥା ଗୋଡା, ମାଳ ଓ ବେର୍ଣ୍ଣା କିସମ ଜମିରେ ଧାନ ବୁଣିଥିଲେ ତାହା କେତେକ ସ୍ଥାନରେ ପୋଡି ପାଳ ହୋଇଯାଇଛି। ଆଉ କେତେକ ଧାନ ଚାରା ହଳଦିଆ ଦେଖାଗଲାଣି। ଏହି ଜମିଗୁଡିକରେ ରୁଆ କରିଥିବା ଚାଷୀଙ୍କ ଜମି ଫାଟି ଯାଇଥିବାରୁ ଓ ବର୍ଷାର ଅନିଶ୍ଚିତତା ଯୋଗୁ କୃଷକ ଚାଷ ଜମିକୁ ଯାଉ ନ ଥିବା ଦେଖାଯାଇଛି। ଫଳରେ ଜମିରେ ଗାଈ, ବଳଦ ପଶି ଚରିବା ଆରମ୍ଭ କଲେଣି। ସପ୍ତାହେ ମଧ୍ୟରେ ଭଲ ବର୍ଷା ନ ହେଲେ ଯେଉଁ ଚାଷୀ ରୁଆ ପାଇଁ ତଳି ପକାଇଛନ୍ତି ତାହା ଅନୁପଯୋଗୀ ହେବ। କୃଷକଙ୍କ ଜମି ଖାଲି ପଡି ରହିବ। ଯେଉଁ ଚାଷୀମାନେ ବିଳମ୍ବରେ ତଳି ପକାଇଛନ୍ତି ତାହା ଗଜା ହୋଇ ଶୁଖିଯିବ। ଯେଉଁ ଚାଷୀଙ୍କ ପାଇଁ ଖରିଫ ଧାନ ଚାଷ ହିଁ ପେଟ ପାଟଣାର ମୁଖ୍ୟ ଆଧାର ସେମାନେ ଏଭଳି ପରିସ୍ଥିତି ଦେଖି ମୁଣ୍ଡରେ ହାତଦେଇ ବସିଲେଣି। ଉଲ୍ଲେଖଯୋଗ୍ୟ ଯେ, ଗତବର୍ଷ ଜୁନରୁ ଅଗଷ୍ଟ ପର୍ଯ୍ୟନ୍ତ କିଛିଟା ବର୍ଷା ହେବାରୁ ଚାଷୀ ଖରିଫ ଧାନ ଚାଷ ଭଲ ହେବ ଆଶା କରିଥିଲେ। କିନ୍ତୁ ଜୁଲାଇ ମାସରେ ବର୍ଷା ନ ହେବାରୁ ଧାନ ଅମଳ କମିଯାଇଥିଲା। କେତେକ ଜମିର (ଉଚ୍ଛଜମି) ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଗତ ବର୍ଷ ମରୁଡିରେ କ୍ଷତିଗ୍ରସ୍ତ ଚାଷୀ ଚଳିତବର୍ଷ ସମ୍ଭାବ୍ୟ ମରୁଡିରେ ପଡିଲେ ଚାଷୀ ଅଣ୍ଟା ସଳଖାଇବା କଷ୍ଟକର ହୋଇପଡିଛି ।