Categories: ଭଦ୍ରକ

ବର୍ଷାରେ ଧସିଲା ନଦୀବନ୍ଧ

ଭଣ୍ଡାରିପୋଖରୀ, ୮।୮ (ଡି.ଏନ.ଏ.) – ନଦୀବନ୍ଧ ନିର୍ମାଣ ଲାଗି ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ହେଲେ ବିଭାଗୀୟ ଅଧିକାରୀଙ୍କ ଆବଶ୍ୟକ ତଦାରଖ ଅଭାବରୁ ଠିକାଦାର ମନଇଚ୍ଛା କାମ କରି ଚାଲି ଯାଉଛନ୍ତି। ବନ୍ୟାରେ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ସରକାର ବୈତରଣୀ ନଦୀବନ୍ଧକୁ କ୍ୟାପିଟାଲ ଏମ୍ବାକ୍‌ମେଣ୍ଟ ପ୍ରକଳ୍ପ ମାଧ୍ୟମରେ ସୁଦୃଢ଼ୀକରଣ କରାଇଥିଲେ। ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅଧୀନ ବାଲିପୋଖରୀ ପଞ୍ଚାୟତ ବଳିଘାଇଠାରୁ ଧାମନଗର ବ୍ଲକ ଦେହୁଡ଼ି-ଆନନ୍ଦପୁର ପର୍ଯ୍ୟନ୍ତ ନାବାର୍ଡ ସହାୟତାରେ ୧୨ କୋଟି ୪୯ ଲକ୍ଷ ୪୫ ହଜାର ୫୦୬ ଟଙ୍କା ବ୍ୟୟରେ ଚଳିତବର୍ଷ ନୂତନ ବନ୍ଧ ନିର୍ମାଣ କରାଯାଇଥିଲା। ଯାଜପୁର ଜଳସେଚନ ବିଭାଗ ପକ୍ଷରୁ ଜଣେ ଠିକାଦାର କାର୍ଯ୍ୟାଦେଶ ପାଇଥିଲେ। ନିମ୍ନମାନର କାର୍ଯ୍ୟ ଯୋଗୁ ବର୍ଷାରେ ନଦୀବନ୍ଧ ଧସିଯାଇଛି। କଣ୍ଟିଘାଇ, ମଣିନାଥପୁର ବିଦ୍ୟାଳୟ ଓ ବିନ୍ଧାଣ ଗ୍ରାମ ନିକଟରେ ବନ୍ଧଠାରୁ ୧୦ରୁ ୨୦ ଫୁଟ ପର୍ଯ୍ୟନ୍ତ ମାଟି ନଦୀ ମଧ୍ୟକୁ ଖସିପଡ଼ିଛି। ବିଭିନ୍ନ ସ୍ଥାନରେ ବନ୍ଧରେ ଫାଟ ମଧ୍ୟ ସୃଷ୍ଟି ହୋଇଛି। ଯନ୍ତ୍ରୀମାନଙ୍କ ତଦାରଖ ଅଭାବରୁ ଠିକାସଂସ୍ଥା କ୍ବାଲିଟି କଣ୍ଟ୍ରୋଲ ଅନୁଯାୟୀ କାମ କରି ନ ଥିବା ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ବୈତରଣୀରେ ବନ୍ୟା ଆସିଲେ ସ୍ଥାନୀୟ ଅଞ୍ଚଳର ଲୋକେ ନଦୀବନ୍ଧ ଅବସ୍ଥା ଦେଖି ଭୟଭୀତ ହୋଇପଡ଼ିଛନ୍ତି। ବିଭାଗୀୟ ଉଚ୍ଚ ପଦାଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବି କରାଯାଇଛି।