ବରୁଣଙ୍କ ଆକ୍ଟିଂ ଗୁରୁ

ବଲିଉଡ୍‌ର ଆଗଧାଡ଼ିର ନିର୍ଦ୍ଦେଶକ ଡେଭିଡ୍‌ ଧାଓ୍ବନଙ୍କ ପୁତ୍ର ବରୁଣ ଧାଓ୍ବନ। କରନ୍‌ ଜୋହରଙ୍କ ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇୟର’ରୁ ନିଜର ବଡ଼ ପରଦା କ୍ୟାରିୟର ଆରମ୍ଭ କରିଥିଲେ। ହେଲେ ଆକ୍ଟିଂ ଲାଇନ୍‌କୁ ଆସିବା ପୂର୍ବରୁ ସେ ଜଣଙ୍କୁ ନିଜର ଆକ୍ଟିଂ ଗୁରୁ ଭାବେ ଗ୍ରହଣ କରିଥିଲେ। ସେ ଆଉ କେହି ନୁହନ୍ତି, ହିନ୍ଦୀ ସିନେମାର ଅନ୍ୟତମ ଲୋକପ୍ରିୟ ଅଭିନେତା ଗୋବିନ୍ଦା। ଏପରି କି ଗୋବିନ୍ଦାଙ୍କ ଅଭିନୀତ ସମସ୍ତ ସିନେମା ସେ ଦେଖିସାରିଛନ୍ତି। ଏ ସମ୍ପର୍କରେ ବରୁଣ କହନ୍ତି, ‘ଗୋବିନ୍ଦାଙ୍କ ଅଭିନୟ ମୋତେ ବେଶ୍‌ ପ୍ରଭାବିତ କରିଛି। ତାଙ୍କ ଅଭିନୀତ ସମସ୍ତ ସିନେମା ମୁଁ ଦେଖିସାରିଛି। ବଲିଉଡ୍‌ରେ ମୁଁ ଡେଭିଡ୍‌ଙ୍କ ପୁଅର ପରିଚୟ ନେଇ ନୁହେଁ, ଜଣେ ଭଲ ଅଭିନେତା ଭାବରେ ଦର୍ଶକଙ୍କ ନିକଟରେ ରହିବାକୁ ଚାହେଁ।’ ପିଲାଦିନେ ବରୁଣ ଭାରି ଦୁଷ୍ଟ ଥିଲେ। ଇଂଲଣ୍ଡସ୍ଥିତ ନଟିଂହାମ୍‌ ଟ୍ରେଣ୍ଟ ୟୁନିଭର୍ସିଟିରୁ ସେ ବିଜ୍‌ନେସ ମ୍ୟାନେଜମେଣ୍ଟରେ ଡିଗ୍ରୀ ହାସଲ କରିଛନ୍ତି। ଏପରି କି ସେଠାରେ ପକେଟ ମନି ପାଇଁ ବରୁଣ ଏକ ଲିଫଲେଟ୍‌ କମ୍ପାନୀରେ ଡିଷ୍ଟ୍ରିବ୍ୟୁଟର ଭାବେ କିଛି ଦିନ କାମ କରିଥିଲେ। ସୂଚନାଯୋଗ୍ୟ ଡେଭିଡ୍‌ ଧାଓ୍ବନଙ୍କ ନିର୍ଦ୍ଦେଶିତ ବରୁଣ-ସାରା ଅଲ୍ଲୀ ଖଁା ଅଭିନୀତ ରିମେକ୍‌ ଫିଲ୍ମ ‘କୁଲି ନଂ. ୧’ ରିଲିଜ ଅପେକ୍ଷାରେ ରହିଛି।

Share