ବନ୍ୟାକୁ ୩ ମାସ ବିତିଲା: ରାସ୍ତା ମରାମତି ହେଲାନି

କର୍ଲାମୁଣ୍ଡା,୨୧।୧୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗତ ଅଗଷ୍ଟ ମାସରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ଆସି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା। ଏପରିକି ବିଭିନ୍ନ ରାସ୍ତା ଓ ପୋଲ ଭାଙ୍ଗିଯାଇଥିଲା। ତେବେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କିଛି ଜାଗାରେ ମରାମତି କାର୍ଯ୍ୟ କରାଯାଇଥିଲେ ହେଁ ବନ୍ୟାରେ ରିଞ୍ଜା ମୁଖ୍ୟରାସ୍ତାରେ ଥିବା ସରବରା ଜୋର ପୋଲ ଗୋଟିଏ ପଟ ଭାଙ୍ଗି ବିପଦ ଅବସ୍ଥାରେ ଆଜିପର୍ଯ୍ୟନ୍ତ ରହିଛି। ତଥାପି ବିଭାଗୀୟ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ଏହି ରାସ୍ତା ଦେଇ ଯିବା ଆସିବା କରୁଥିବା ସାଧାରଣ ଲୋକେ ବିପଦର ସମ୍ମୁଖୀନ ହେଉଛନ୍ତି। ଅନ୍ୟପଟେ ଗ୍ରାମ୍ୟ ଉନ୍ନୟନ ବିଭାଗ କେବଳ ବିପଦ ସୂଚନାଫଳକ ଲଗାଇ ହାତ ବାନ୍ଧିବସିଛି।