ବନ୍ଧୁ ପାଇଁ ଦିନଟିଏ

ବାରିପଦା ଅଫିସ, ୪।୮- ଅଗଷ୍ଟ ମାସର ପ୍ରଥମ ରବିବାରକୁ ‘ବନ୍ଧୁତ୍ୱ ଦିବସ’ ପାଳନ ଲାଗି ଯୁବପିଢି ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି। ଏହି ଦିନ ବନ୍ଧୁଙ୍କୁ ମନ ପସନ୍ଦର ସାମଗ୍ରୀ ଉପହାର ଦେବା ଲାଗି ଅନେକେ ମଧ୍ୟ କିଣାକିଣି କରି ସାରିଛନ୍ତି। ବନ୍ଧୁବିନା ଜୀବନ କେମିତି ନିରଳସ ଲାଗେ । ବନ୍ଧୁତ୍ୱର ସମ୍ପର୍କ ବଢାଇବାକୁ ଏହି ଦିବସ ଅନେକ ସୁଯୋଗ ଆଣି ଦେଇଥାଏ। ଏହାକୁ ଦୃଷ୍ଟିରେ ରଖି ଯୁବତୀଯୁବକମାନେ ଆଗୁଆ ପ୍ରସ୍ତୁତି ଓ ଯୋଜନା କରିଥିବା କହିଛନ୍ତି। ସୋସିଆଲ ମିଡିଆ ସମ୍ପର୍କର ଖିଅ ଯୋଡିବାରେ ଅଧିକ ସହାୟକ ହେଉଛି। ‘ବନ୍ଧୁତ୍ୱ ଦିବସ’ ପାଳନ ଅବସରରେ ଖୋଲାରେ ଗପିବାକୁ ଅନେକ ଯୋଜନା କରିବା ସହ ଉପହାର ସାମଗ୍ରୀ ଭାବେ ବ୍ୟାଣ୍ଡ ଓ କାର୍ଡ କିଣି ରଖିଛନ୍ତି। ଏଥିଲାଗି ଗତ କିଛି ଦିନ ଧରି ବାରିପଦା ସହରର ବିଭିନ୍ନ ଫ୍ୟାନ୍ସିି ଷ୍ଟୋର ଓ ଗିଫ୍ଟ କର୍ନର ଓ ଅସ୍ଥାୟୀ ଦୋକାନରେ ଭିଡ ଲାଗି ରହିଥିଲା। ଏହାଛଡା ବିଭିନ୍ନ ପାର୍କ, ହୋଟେଲ ଓ ରେଷ୍ଟୁରାଣ୍ଟରେ ମଧ୍ୟ ଏହି ଦିବସ ପାଳନ ଲାଗି ସ୍ବତନ୍ତ୍ର ଆୟୋଜନମାନ କରାଯାଉଛି।
ବାରିପଦା ସହରର ଯୁବକ ଦେବାଶିଷ ବିଶ୍ୱାଳ କହିଛନ୍ତି, ବନ୍ଧୁତ୍ୱ ଦିବସର ପ୍ରସ୍ତୁତି ସ୍ବରୂପ ସେ ସାଙ୍ଗମାନଙ୍କ ସହିତ ଗିଫ୍ଟ କର୍ନର ଯାଇ ଉପହାର ସାମଗ୍ରୀ କିଣାକିଣି କରିିଛନ୍ତି। ସ୍ବତନ୍ତ୍ର ଭାବେ କେକ୍‌ କାଟି ବନ୍ଧୁଙ୍କ ସହିତ ଏହି ଦିବସ ପାଳନ କରିବେ। ଅବଦୁଲ ହବିବ କହିଛନ୍ତି, ଫ୍ରେଣ୍ଡଶିପ୍‌ ଡେ ରବିବାର ପଡୁଥିବାରୁ ସାଙ୍ଗମାନଙ୍କ ସହିତ ନିକଟସ୍ଥ ପାର୍କ ବୁଲିଯିବାକୁ ସ୍ଥିର କରିଛନ୍ତି। ରେଷ୍ଟୁରାଣ୍ଟରେ ଖାଇବା ସହିତ ସାରାଦିନ ନୂଆପୁରୁଣା ବନ୍ଧୁଙ୍କ ସହିତ ବିତାଇବେ। ପ୍ରଶାନ୍ତ କୁମାର ନାୟକ କହିଛନ୍ତି, ତାଙ୍କ ଅଫିସର ସମସ୍ତ ସାଙ୍ଗଙ୍କ ସହିତ ସେ ଫ୍ରେଣ୍ଡଶିପ ଡେ ସେଲିବ୍ରେଶନ କରିବେ। ସମସ୍ତ ସାଙ୍ଗଙ୍କୁ ସରପ୍ରାଇଜ ଗିଫ୍ଟ ଦେବେ। ବନ୍ଧୁତ୍ୱର ପରିଭାଷାକୁ ନେଇ ଅନେକ ମଧ୍ୟ ନାନା ଚର୍ଚ୍ଚା କରୁଛନ୍ତି। ତେବେ ‘ବନ୍ଧୁତ୍ୱ ଦିବସ’ ପାଳନ ଲାଗି ଯୁବପିଢିରେ ବର୍ଷକୁ ବର୍ଷ ଅଧିକ ଆଗ୍ରହ ପରିଲକ୍ଷିତ ହେଉଥିବା ଲକ୍ଷ୍ୟ କରାଯାଉଛି।