Categories: ବାଣିଜ୍ୟ

ବନ୍ଦ ହେବନି ଗରିବ ରଥ

ନୂଆଦିଲ୍ଲୀ,୨୦-୭: ଗରିବ ରଥ ପୂର୍ବ ପରି ଚାଲିବ। ଏଥିରେ ଭଡ଼ା ବୃଦ୍ଧି କରାଯିବ ନାହିଁ ଏବଂ ଏଥିରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି ଭାରତୀୟ ରେଲଓ୍ବେ ପକ୍ଷରୁ ଶୁକ୍ରବାର ସ୍ପଷ୍ଟୀକରଣ ଦିଆଯାଇଛି। କମ୍‌ ଅର୍ଥରେ ଏସି ଟ୍ରେନରେ ଯାତ୍ରା କରିବାର ସୁବିଧା ଯୋଗାଉଥିବା ଗରିବ ରଥ ପ୍ରଚଳନକୁ ରେଲଓ୍ବେ ବନ୍ଦ କରିଦେବେ ବୋଲି ମିଡିଆରେ ରିପୋର୍ଟ ପ୍ରକାଶ ପାଇଥିଲା। ଉତ୍ତରାଞ୍ଚଳ ରେଲଓ୍ବେ ପକ୍ଷରୁ ଏକ ସ୍ପଷ୍ଟୀକରଣ ଦିଆଯାଇ କୁହାଯାଇଛି ଯେ, କୋଚ୍‌ ଅଭାବ କାରଣରୁ ଦୁଇ ଯୋଡା ସାପ୍ତାହିକ ଗରିବ ରଥ ସେବାକୁ ଅସ୍ଥାୟୀ ଭାବେ ଏକ୍ସପ୍ରେସ ସେବା ଭାବେ ପ୍ରଚଳନ କରାଯାଇଥିଲା। ରେଲ ମନ୍ତ୍ରଣାଳୟ ପକ୍ଷରୁ ଟୁଇଟ୍‌ ଯୋଗେ କୁହାଯାଇଛି ଯେ, ଟ୍ରେନ ନଂ ୧୨୨୦୭/୦୮ କାଠଗୋଦାମ-ଜମ୍ମୁ ତଓ୍ବି ଏବଂ ଟ୍ରେନ ନଂ ୧୨୨୦୯/୧୦ କାଠଗୋଦାମ-କାନପୁର ମଧ୍ୟରେ ବନ୍ଦ କରାଯାଇଥିବା ଦୁଇଟି ଗରିବ ରଥକୁ ପୁନର୍ବାର ଅଗଷ୍ଟ ୪ରୁ ଆରମ୍ଭ କରାଯିବ। ଦେଶରେ ଏବେ ୨୬ ଯୋଡା ଗରିବ ରଥକୁ ବନ୍ଦ କରିଦେବା ଲାଗି ରେଲଓ୍ବେର କୌଣସି ଯୋଜନା ନାହିଁ। ସୂଚନାଥାଉ କି, ଏହି ଦୁଇଟି ରୁଟ୍‌ରେ ଗରିବ ରଥକୁ ବନ୍ଦ କରାଯାଇ ତାହା ସ୍ଥାନରେ ମେଲ୍‌ ଏକ୍ସପ୍ରେସ ପ୍ରଚଳନ କରାଯାଇଥିଲା। ଏହାର ଗଠନରେ ପରିବର୍ତ୍ତନ କରାଯାଇ ଏଥିରେ ସ୍ଲିପର ଓ ସାଧାରଣ ବଗି ଯୋଡା ଯାଇଥିଲା। ଏଥିସହ ଏହି ଦୁଇ ଯୋଡା ଟ୍ରେନର ଭଡା ମଧ୍ୟ ବୃଦ୍ଧି କରାଯାଇଥିଲା।

Share