ବନ୍ଦହେଲା ‘ଇଣ୍ଡିଆ ଆବ୍ରୋଡ୍‌’

ନ୍ୟୁୟର୍କ,୩୧ା୩: ଆମେରିକାରେ ଗତ ୫୦ବର୍ଷ ଧରି ଭାରତୀୟ ସମାଜର ଆଇନା ପାଲଟିଥିବା ଭାରତୀୟ ଖବରକାଗଜ ‘ଇଣ୍ଡିଆ ଏବ୍ରଡ୍‌’ ସୋମବାର ଶେଷଥର ଲାଗି ଛପାଯାଇଛି। ନ୍ୟୁୟର୍କ ସହରର ଏହି ସାପ୍ତାହିକ ଖବରକାଗଜର ପ୍ରକାଶକ ଗୋପାଳ ରାଜୁ ୧୯୭୦ରେ ଏହାକୁ ପ୍ରକାଶ କରି ସେଠାରେ ରହୁଥିବା ଭାରତୀୟଙ୍କ ମନ ଜିଣିଥିଲେ। ପରେ ୨୦୦୧ରେ ରେଡିଫ ଡଟ୍‌ କମ୍‌ ଏହି ଖବରକାଗଜକୁ ରାଜୁଙ୍କଠାରୁ କିଣିଥିଲା। ଏହା ପରେ ୨୦୧୬ରେ ରେଡିଫ ୮କେ ମାଇଲ୍ସ ମିଡିଆ ଇଙ୍କ୍‌କୁ ଏହି ମାଲିକାନା ବିକ୍ରି କରିଦେଇଥିଲା। ସମ୍ପ୍ରତି ଏହି ଖବରକାଗଜର ପ୍ରକାଶକ ସୁରେଶ ଭେଙ୍କଟାଚାରୀ ପ୍ରକାଶନ ବନ୍ଦ ହେବା ନେଇ ମାର୍ଚ୍ଚ ୨୭ରେ ସୂଚନା ଦେଇଥିଲେ। ଇଣ୍ଟରନେଟ ଚାହିଦା ବୃଦ୍ଧି ଯୋଗୁ ଖବରକାଗଜର ପ୍ରସାର ହ୍ରାସ ପାଉଥିବା ସେ କହିବା ସହ ମାର୍ଚ୍ଚ ୩୦ରେ ଶେଷଥର ଛପାଯିବ ବୋଲି ସେ ପ୍ରକାଶ କରିିଥିଲେ। ଇଣ୍ଡିଆ ଏବ୍ରଡ୍‌ ବନ୍ଦ ହେବା ଫଳରେ ଆମେରିକାରେ ରହୁଥିବା ଭାରତୀୟମାନେ ନିଜ ଦେଶର ଟିକିନିଖି ଖବର ଜାଣିବାରେ ଅସୁବିଧାର ସମ୍ମୁଖୀନ ହେବେ ବୋଲି କୁହାଯାଉଛି।

Share