ବଢିଲା ଲକ୍‌ଡାଉନ ଅବଧି

ହାଇଦ୍ରାବାଦ,୨୦।୪: ପ୍ରଥମ ରାଜ୍ୟ ଭାବେ ଲକ୍‌ଡାଉନ ଅବଧିକୁ ମେ’୭ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ୮୫୮ ଥିବା ବେଳେ ୨୧ ଜଣଙ୍କ ମୃତ୍ୟୁ ହୋଇଛି। ତେଲେଙ୍ଗାନାର ୪ଟି ଜିଲା କରୋନା ମୁକ୍ତ ଥିବା ବେଳେ ପରିସ୍ଥିତିରେ ଆହୁରି ସୁଧାର ଆଣିବାକୁ ମୁଖ୍ୟମନ୍ତ୍ରୀ ଏଭଳି ନିଷ୍ପତ୍ତି ନେଇଥିବା ପ୍ରକାଶ କରିଛନ୍ତି। କରୋନା ମୁକ୍ତ ଜିଲା ମଧ୍ୟରେ ରହିଛି ଓ୍ବରାଙ୍ଗଲ, ୟାଦ୍ରାଦ୍ରି ଭଦ୍ରାଦ୍ରି, ସିଦ୍ଦିପେଟ ଓ ଓ୍ବାନାପାର୍ଥୀ। ତେବେ ଅନ୍ୟ ରାଜ୍ୟ ତୁଳନାରେ ତେଲେଙ୍ଗାନାର ସ୍ଥିତି ଭଲଥିବା କେସିଆର୍‌ କହିଛନ୍ତି। ଲକ୍‌ଡାଉନ ନିୟମରେ କେନ୍ଦ୍ର ସରକାର ଏପ୍ରିଲ ୨୦ରୁ ଯେଉଁସବୁ କୋହଳ ଘୋଷଣା କରିଛନ୍ତି ତାହା ତେଲେଙ୍ଗାନାରେ କାର୍ଯ୍ୟକାରୀ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ସୂଚନାଯୋଗ୍ୟ, କେନ୍ଦ୍ର ସରକାର ସାରା ଦେଶରେ ଲକ୍‌ଡାଉନ ଅବଧିକୁ ମେ’୩ ପର୍ଯ୍ୟନ୍ତ ପୂର୍ବରୁ ବୃଦ୍ଧି କରିଥିଲେ। ଏବେ ତେଲେଙ୍ଗାନା ପ୍ରଥମ ରାଜ୍ୟ ଭାବେ ଏହି ଅବଧିକୁ ମେ’୭ ପର୍ଯ୍ୟନ୍ତ ବୃଦ୍ଧି କରିଛି।

Share