ବଡ଼ ର଼୍ୟାକେଟର ପର୍ଦ୍ଦାଫାଶ କଲା ଏସ୍‌ଟିଏଫ୍‌: ଗୋଟିଏ ରାତିରେ ୮ ବ୍ରାଉନସୁଗାର ବେପାରୀ ଗିରଫ

ଭୁବନେଶ୍ୱର,୬ା୧(ବ୍ୟୁରୋ): ନିଶା ମାଫିଆଙ୍କୁ ଟାର୍ଗେଟ କରିଥିବା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌କୁ ଆଉଏକ ସଫଳତା ମିଳିଛି। ରାଜ୍ୟରେ ସକ୍ରିୟ ଥିବା ବଡ଼ ବ୍ରାଉନସୁଗାର ର଼୍ୟାକେଟକୁ ଠାବ କରିଛି। ଗୋଟିଏ ରାତିରେ ୮ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୪୫ ଗ୍ରାମ୍‌ର ବ୍ରାଉନ ସୁଗାର, ୭ଲକ୍ଷ ୪୪ ହଜାର ଟଙ୍କା, ଓ ବାଇକ ଜବତ କରିଛି। ଏସ୍‌ଟିଏଫ୍‌ ଟିମ ଶନିବାର ରାତିରେ ବାଲେଶ୍ୱର ଜଳେଶ୍ୱରରେ ଚଢାଉ କରି ଜଣଙ୍କୁ ଗିରଫ କରିଥିବାବେଳେ ପୁରୀ ମଙ୍ଗଳାସାହିରୁ ୭ ଜଣଙ୍କୁ ଗିରଫ କରିଛି। ବାଲେଶ୍ୱରରୁ ଗିରଫ ଅଭିଯୁକ୍ତ ହେଲେ ଜଳେଶ୍ୱର ଝାଡେଶ୍ୱରପୁରର କେଦାର ମହମ୍ମଦ ଓରଫ ଲାଲ ବାବୁ, ପୁରୀରୁ ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଅଜୟ ନାୟକ, ରମେଶ ନାୟକ, ଅଭିମନ୍ୟୁ ସ୍ବାଇଁ, କାହ୍ନୁ ନାୟକ, ଚିନ୍ତାମଣି ନାୟକ, ବସନ୍ତ ସାମଲ ଓ ଲକ୍ଷ୍ମୀଧର ନାୟକ। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏସ୍‌ଟିଏଫ୍‌ ପକ୍ଷରୁ କୁହାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ବାଲେଶ୍ୱରର ଜଳେଶ୍ୱର ଝାଡେଶ୍ୱରପୁରରେ କେଦାର ବିପୁଳମାତ୍ରାରେ ବ୍ରାଉନସୁଗାର ବିକ୍ରି କରୁଥିବା ଖବର ଏସ୍‌ଟିଏଫ୍‌ ପାଇଥିଲା। ଶନିବାର ରାତିରେ କେଦାର ଘର ନିକଟରେ ଥିବା ଏକ ଅନ୍ଧାରୁଆ ସ୍ଥାନରେ ବ୍ରାଉନସୁଗାର ବିକ୍ରି କରୁଥିବାବେଳେ ଏସ୍‌ଟିଏଫ ଟିମ୍‌ ଚଢାଉ କରି ତାଙ୍କୁ କାବୁ କରିବା ସହ ତାଙ୍କ ନିକଟରୁ ୩୫ ଗ୍ରାମର ବ୍ରାଉନସୁଗାର ଓ ୧ଲକ୍ଷ ୪୭ ହଜାର ଟଙ୍କା ଜବତ କରିଥିଲା। ତାଙ୍କ ବିରୋଧରେ ଏସ୍‌ଟିଏଫ୍‌ ଏନ୍‌ଡିପିଏସ୍‌ କେସ୍‌ ନଂ-୨/୨୦୨୦ ରୁଜୁ କରି ଗିରଫ କରିଥିଲା।
ସେହିପରି ପୁରୀର ମଙ୍ଗଳାସାହିରେ ଏକ ଗ୍ୟାଙ୍ଗ ନିୟମିତ ବ୍ରାଉନସୁଗାର କାରବାର କରୁଥିବା ଖବର ପାଇ ଆଉଏକ ଏସ୍‌ଟିଏଫ୍‌ ଟିମ୍‌ ଶନିବାର ରାତିରେ ପୁରୀ ଯାଇଥିଲା। ମଙ୍ଗଳାସାହିରେ ବ୍ରାଉନସୁଗାର ବିକ୍ରି କରୁଥିବାବେଳେ ଏସ୍‌ଟିଏଫ୍‌ ଟିମ୍‌ ଚଢ଼ାଉ କରି ୭ଜଣଙ୍କୁ ଧରିବା ସହ ସେମାନଙ୍କ ନିକଟରୁ ୧୦ ଗ୍ରାମ୍‌ର ବ୍ରାଉନସୁଗାର, ୫ ଲକ୍ଷ ୯୭ ହଜାର ଟଙ୍କା ଜବତ କରିଥିଲା। ଏସ୍‌ଟିଏଫ୍‌ କେସ୍‌ ନଂ-୧/୨୦୨୦ ଏନ୍‌ଡିପିଏସ୍‌ ମାମଲା ରୁଜୁ କରି ସମସ୍ତଙ୍କୁ ଗିରଫ କରିଥିଲା।