Categories: ମେଟ୍ରୋ

ବଞ୍ଚାଇଦେଲେ ଆର୍‌ପିଏଫ୍‌ କନ୍‌ଷ୍ଟେବଳ

ଭୁବନେଶ୍ୱର,୨୭ା୧୨(ବ୍ୟୁରୋ)ନିଶ୍ଚିତ ବଡ଼ ବିପଦରୁ ବର୍ତ୍ତିଗଲେ ଜଣେ ରେଳ କର୍ମଚାରୀ ବିଜନ କୁମାର ପୁରକୀତ୍‌। ତାଙ୍କ ଜୀବନ ବଞ୍ଚାଇଦେଲେ ଭୁବନେଶ୍ୱର ଆର୍‌ପିଏଫ୍‌ କନ୍‌ଷ୍ଟେବଳ ଏନ୍‌.ବି. ରାଓ। ଗୁରୁବାର ଭୁବନେଶ୍ୱର ରେଳ ଷ୍ଟେଶନର ପ୍ଲାଟଫର୍ମ-ନଂ.୨ରେ ଘଟିଥିବା ଏହି ଘଟଣା ସମସ୍ତଙ୍କୁ ଚକିତ କରିଦେଇଥିଲା। ଅପରାହ୍ନ ପ୍ରାୟ ୩ଟା ୪୦ରେ ପଣ୍ଡିଚେରୀ-ହାଓଡ଼ା ଏକ୍ସପ୍ରେସ୍‌ କିଛି ସମୟ ରହଣି ପରେ ଆଗକୁ ଗଡୁଥିଲା। ଏହି ସମୟରେ ବିଜନ କୁମାର ତରବର ହୋଇ ଚଢ଼ୁଥିବାବେଳେ ହଠାତ୍‌ ତାଙ୍କ ଗୋଡ଼ ଖସିଯାଇଥିଲା। ଫଳରେ ସେ ଟ୍ରାକ୍‌କୁ ଖସି ଯାଉଥିବାବେଳେ କନ୍‌ଷ୍ଟେବଳ ରାଓ ଦେବଦୂତ ଭଳି ଦୌଡ଼ି ଆସି ତାଙ୍କୁ ପ୍ଲାଟ୍‌ଫର୍ମ ଉପରକୁ ଟାଣି ଆଣିଥିଲେ। ବିଜନ କୁମାର ଆଖି ଖୋଲିବା ବେଳକୁ ସେ ଟ୍ରାକ୍‌ରେ ନୁହେଁ, ପ୍ଲାଟ୍‌ଫର୍ମରେ ବେଶ୍‌ ସୁରକ୍ଷିତ ଥିଲେ। ଟ୍ରେନ୍‌ ଚାଲିଯାଇଥିଲା, ହେଲେ ବଞ୍ଚତ୍ୟାଇଥିଲା ଜୀବନ। ବିଜନ କୁମାର ପଶ୍ଚିମବଙ୍ଗର ଜଣେ ରେଳ କର୍ମଚାରୀ ବୋଲି ଜଣାପଡ଼ିଛି। ସେ ନିଜ ଝିଅକୁ ଦେଖା କରିବାକୁ ଭୁବନେଶ୍ୱର ଆସିଥିଲେ। ସୂଚନାଯୋଗ୍ୟ, ତାଙ୍କୁ ଉଦ୍ଧାର କରିଥିବା କନ୍‌ଷ୍ଟେବଳ ରାଓ ପୂର୍ବରୁ ଏମିତି ଅନେକ ସାହସୀ ଓ ମହତ କାର୍ଯ୍ୟ କରି ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ଅଙ୍ଗାଡିଙ୍କଠାରୁ ପୁରସ୍କୃତ ହୋଇସାରିଛନ୍ତି।